ମହିଳାଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭଞ୍ଜନଗର(ନିଲୁ ବିଷୋୟୀ) ଲ: ଭଞ୍ଜନଗର ଥାନା ଅଧୀନ ଗୋଲାପଡା ପଞ୍ଚାୟତର ଶରଧାପୁର ଗ୍ରାମରେ ଶନିବାର ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଆ ଥାନାରେ ଲିଖିତ ଭାବେ ‌ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଗୋଲାପଡା ଗ୍ରାମର ନିଳାଞ୍ଚଳ ସାମଲର ପତ୍ନୀ ମିନତୀ ସାମଲ(୩୦)। ସେ ଗ୍ରାମର ଏକ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ବେଳେ ଗତକାଲି ମଧ୍ୟାହ୍ନରେ ଘରକୁ ଆସି କୌଣସି କାମରେ ଯାଇଥିଲେ । ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିବା ବେଳେ ଶରଧାପୁର ଗ୍ରାମ ନିକଟରେ ଥିବା ଏକ କୁକୁଡା ଫାର୍ମ ଠାରେ ତାଙ୍କ ମୃତଦେହ ପଡିଥିବା ଖବର ପାଇଁ ପରିବାର ଲୋକ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ମହିଳାଙ୍କ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାହା କିଭଳି ହୋଇଛି ସେଦିଗରେ ତଦନ୍ତ କରିବା ସହ ମହିଳାଙ୍କ ମୋବାଇଲକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି । ମୃତ୍ୟୁର କାରଣ ଖୋଜିବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ଆଜି ଛତ୍ରପୁରରୁ ଏକ ସାଇଣ୍ଟିଫିକ୍‌ ଟିମ୍ ଆସି ଘଟଣାସ୍ଥଳରେ ଯାଞ୍ଚ କରି ଫେରିଛନ୍ତି । ଏଥି ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ମୃତ ମିନତୀଙ୍କ ମାଆ ଚନ୍ଦ୍ରମଣୀ ପ୍ରଧାନଙ୍କ ଏତଲା ପ୍ରକାରେ ପୁଲିସ୍‌ କେସ୍‌ ନମ୍ବର ୭୧୨/୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ।