ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଇଲାକାରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ପୃଥକ ଚୋରୀ ଘଟଣାରେ ପୁଲିସ ଶୁକ୍ରବାର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ସେମାନଙ୍କ ନିକଟରୁ ଟଙ୍କା ସହ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ଯୁବକମାନେ ଜାମପଲ୍ଲୀ, ଗାମୁଣ୍ଡି, ବେଲଗୁଣ୍ଠା ଏବଂ ଗାଲେରୀ ଅଞ୍ଚଳର ଏକାଧିକ ଘରର କବାଟ ଓ ଗ୍ରିଲକୁ ଶାବଳରେ ଭାଙ୍ଗି ଚୋରି କରୁଥିଲେ । ଗତ କିଛି ଦିନ ପୁର୍ବେ ଜାମପଲ୍ଲୀ ସ୍ଥିତ କୁମୁଦିନ ବିହାରରେ ରହୁଥିବା ସ୍ୱାଧୀନ ବେହେରାଙ୍କ ଘରୁ ମଧ୍ୟ ଚୋରି ହୋଇଥିଲା । ଏନେଇ ସେ ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚୋରି ଘଟଣାରେ ଶୁକ୍ରବାର ଭଞ୍ଜନଗର ପୁଲିସ ବେଲଗୁଣ୍ଠା ଥାନା ଅଧିନ ଓସ୍ତା ଗ୍ରାମର ସୁଦର୍ଶନ ବେହେରା ଓ ଭଞ୍ଜନଗର ଥାନା ଅଧିନ ବାଉଁଶଲୁଣ୍ଡି ଗ୍ରାମର ବଳରାମ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ସେମାନଙ୍କ ନିକଟରୁ ୨୬ ହଜାର ୪୦୦ ଟଙ୍କା ଓ ଏକ ଶାବଳ, ଖଣ୍ଡା ଏବଂ ଗୋଟିଏ ନିହଣ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏ ନେଇ ୬୭୨ / ୨୪ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି ।