ବୌଦ୍ଧ(ଆବୁବକ୍କର ସିଦ୍ଧିକି ଖାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଲମ୍ବସରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀଙ୍କ ମୃତଦେହକୁ ଗତମାସ ୩୦ ତାରିଖ ସନ୍ଧ୍ୟାରେ ପିପଲପାଲି ଗ୍ରାମର ଏକ ପରିିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା l ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ ଅଭିଯୋଗ କରାଯାଇଥିଲା l ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଉକ୍ତ ହତ୍ୟା ଘଟଣାରେ ଗତକାଲି ୨ ଜଣ ନାବାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା l ପୁର୍ବ ଶତ୍ରୁତାକୁ ନେଇ ଉକ୍ତ ୨ ନାବାଳକ ବିଶ୍ବରାଜକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ l ଆଜି ଉଭୟ ବାଳ ଅପରାଧିଙ୍କୁ ବୌଦ୍ଧ ସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରିଛି କଣ୍ଟାମାଳ ପୁଲିସ l ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୨ ବର୍ଷ ଓ ଅନ୍ୟ ଜଣେ ୧୪ ବର୍ଷର ହୋଇଥିବା ଜଣା ପଡ଼ିଛି l କିଛି ଦିନ ପୂର୍ବେ ସ୍କୁଲରେ ଉଭୟ ଛାତ୍ର ଓ ବିଶ୍ୱରାଜଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା l ଉକ୍ତ କଥାକୁ ନେଇ ଦୁଇ ନାବାଳକ ବିଶ୍ଵରାଜକୁ ଖେଳିବାକୁ ଡାକି ନେଇ କୂଅରେ ଠେଲି ଦେଇଥିବା ଆଜି ପୁଲିସ ଆଗରେ ସ୍ବୀକାର କରିଥିଲେ l ଆଜି ଉଭୟ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବା କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ୨ ନାବାଳକଙ୍କ ଏଭଳି କାମକୁ ସାଧାରଣରେ ନିନ୍ଦା କରାଯାଇଛି l