ଶୋଭାଯାତ୍ରାରେ ଦୁଲୁକିଲା ଭଞ୍ଜନଗର, ବିଜେପିରୁ ନାମାଙ୍କନ ଭରିଲେ ପ୍ରଦ୍ୟୁମ୍ନ…

ଭଞ୍ଜନଗର(ନିଲୁ ବିଷୋୟୀ): ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଯାଉଛି ।.ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣି ।ହେଲେ ବିଜ୍ଞପ୍ତି ଜାରି ହେବାର ଚତୁର୍ଥ ଦିନରେ ୧୨୩ନଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଦ୍ଵିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚନମଣ୍ଡଳୀର ଭଞ୍ଜନଗର ସହର ଓ ବ୍ଲକ ସମେତ ଜଗନ୍ନାଥପ୍ରସାଦ ବ୍ଲକର  ବିଭିନ୍ନ ଗ୍ରାମରୁ ଆସିଥିବା ଶହ ଶହ ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁଙ୍କ ଗହଣରେ ସ୍ଥାନୀୟ କଇଣ୍ଡି ଗ୍ରାମର ହନୁମାନ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭଞ୍ଜନଗର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ।ନିଜ ପ୍ରସ୍ତାବକଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଙ୍କ ନିକଟରେ ପ୍ରଦ୍ୟୁମ୍ନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ୧୨୯ନଂ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଓ ବିଜେଡ଼ି ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ଏବଂ ୧୨୮ନଂ ଆସ୍କା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀନୀ ମଞ୍ଜୁଳା ସ୍ୱାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବାଜା, ବାଣ ସହ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ସହର ପରିକ୍ରମା କରିଥିଲେ।ସୁରକ୍ଷା ଦୃଷ୍ଟିରୁ ସହର ସାରା ବ୍ୟାପକ ପୁଲିସ କର୍ମଚାରୀ ମୃତୟନ କରାଯାଇଥିଲା । ଆଗାମୀ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଭଲ ପ୍ରଦର୍ଶନ କରି ବିଜୟଲାଭ କରିବାକୁ ଆଶାବାଦୀ ଅଛନ୍ତି।