ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ …..

ନବୀନ ହଟାଅ ଓ ଓଡ଼ିଶା ବଂଚାଅ, ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ-ବି.ଭି. ଶ୍ରୀନିବାସ

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ ସଭା ଆୟୋଜିତ ହେବା ସହ ‘ନବୀନ ନିବାସ ଘେରାଉ’ ର‌୍ୟାଲି ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିବାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀ ଶ୍ରୀନିବାସଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ, ଓଡ଼ିଶା ବଂଚାଅ’ ସମାବେଶରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ ବିଭି ଶ୍ରୀନିବାସ କହିଥିଲେ ଯେ କେନ୍ଦ୍ରରେ ଓ ଓଡ଼ିଶାରେ ରାଙ୍ଗାବିଲ୍ଲାର ସରକାର ଚାଲିଛି । ଶ୍ରୀନିବାସ ଓଡ଼ିଶାରେ ‘ନବୀନ-ମୋଦୀ’ଙ୍କର ସରକାର ଚାଲିଛି ବୋଲି କହିଥିଲେ । ଏହି ସରକାରକୁ ରାଙ୍ଗାବିଲ୍ଲା ସରକାର କହି ସେ ତାଚ୍ଛଲ୍ୟ କରି କହିଥିଲେ । ମୋଦୀ ଓ ନବୀନଙ୍କର ନୀତି ନିଷ୍ପତି ଗୋଟିଏ ବୋଲି ସେ ସ୍ପଷ୍ଟ କରିଥିଲେ । ଓଡ଼ିଶାର ଉଚ୍ଚଶିକ୍ଷା ଡିଗ୍ରୀଧାରୀ ଶିକ୍ଷିତ ଯୁବକମାନେ ଓଡ଼ିଶା ବାହାରେ ଯାଇ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଯେକୌଣସି ଛୋଟିଆ ଚାକିରୀଟିଏ କରି ଜୀବିକା ନିର୍ବାହ କରୁଛନ୍ତି । ତା’ର କାରଣ ନବୀନ ସରକାର ସେମାନଙ୍କୁ କର୍ମ ସଂସ୍ଥାନ ବା ନିଯୁକ୍ତି ଯୋଗାଇ ପାରୁନାହାନ୍ତି । ନବୀନ ସରକାର ବର୍ଷକୁ ଯେଉଁ ଦୁଇ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ । ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ସେବାରେ ୫୦ ପ୍ରତିଶତ ଡାକ୍ତର ନାହାନ୍ତି । ନବୀନ ସରକାର ଚାଷୀକୁ ଧୋକା ଦେଇଛନ୍ତି । ଏଠି ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଓଡ଼ିଶାର ଚାଷୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରୀବ । ଏଠି ମହିଳାମାନଙ୍କୁ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାନ୍ତି । ନବୀନ ସରକାର ଦୁର୍ନିତିରେ ବୁଡ଼ି ରହିଛି । ଖଣି, ଡାଲି, ପାଣି, ଜମି, ଚିଟ୍‌ଫଣ୍ଡ ଓ ଛାତ୍ରବୃତି ଦୁର୍ନୀତି ପାଇଁ
ଜନସାଧାରଣରେ ନବୀନ ସରକାର ନିନ୍ଦିତ । ଓଡ଼ିଶାର ସାଧାରଣ ଜନତା ଏବେ କଂଗ୍ରେସକୁ ସମର୍ଥନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ୨୦୨୪ ନିର୍ବାଚନ ଏଠାରେ କଂଗ୍ରେସକୁ ଲୋକ କ୍ଷମତାସୀନ କରିବେ । ଅନ୍ୟପକ୍ଷରେ ମୋଦୀ ଓ ନବୀନଙ୍କ ଭିତିତି ସଂପର୍କ ପଦାରେ ଧରାପଡ଼ିଛି । ଯେତେ ଲୁଚାଇଲେ ବି ଲୁଚୁ ନାହିଁ । କାରଣ ମୋଦୀ ସରକାରଙ୍କର ସବୁ ନିଷ୍ପତି ନବୀନ ସରକାର ଆଖିବୁଜି ସମର୍ଥନ କରୁଛନ୍ତି । ବର୍ଷକୁ ୨କୋଟି ନିଯୁକ୍ତିରେ ପ୍ରତିଶ୍ରୁତି ଦେଇ ମୋଦୀ ଦେଶର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି । ଅଗ୍ନିବୀର୍ ଯୋଜନା କେବଳ ବେକାର ଯୁବକମାନଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ । ମୋଦୀ ସରକାର ଏକ ଚାଷୀ ହତ୍ୟାକାରୀ ସରକାର । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଉଭୟ ମୋଦୀ ଓ ନବୀନ ସରକାର ଭୟବିତ । ନ୍ୟାୟ ଯୋଡ଼ ଯାତ୍ରାକୁ ସାଧାରଣ ଜନତା ବିପୁଳ ସମର୍ଥନ ଦେଇଛନ୍ତି । ଏହି ଯାତ୍ରା ଉପେକ୍ଷିତ ଯୁବ ସମାଜ, ପ୍ରତାରିତ ନାରୀ, ଶୋଷିତ ଚାଷୀ ଏବଂ ଅତ୍ୟାଚାରିତ ଜନତା ଓ ଦରଦାମ୍ ବୃଦ୍ଧିକୁ ନେଇ ଅସନ୍ତୋଷର ଏକ ପ୍ରତିଫଳନ । ମୋଦୀ ଓ ନବୀନ ସରକାରରେ ଶାସନ କଳର ଅପପ୍ରୟୋଗ କରାଯାଇ ବିରୋଧି ଦଳର କଣ୍ଠରୋଧ କରାଯାଉଛି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । କାରଣ ଦୀର୍ଘ ୨୪ ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ୱାର୍ଥ ପ୍ରତି ନିଘା ଦେଇନାହାନ୍ତି । ୨୦୧୯-ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନ ଘୋଷଣା କଲେ ଏବେ ବିଜୁ ଯୁବ ବାହିନି ବନ୍ଦ ହୋଇଛି । ସେହିପରି ଯୁବ ଭୋଟରଙ୍କୁ ହାତେଇବା ପାଇଁ ଯେଉଁ ‘ସ୍ୱୟଂ’ ଯୋଜନା ହୋଇଛି ୨୦୨୪ ନିର୍ବାଚନ ପରେ ସେ ଯୋଜନା ଆଉ ନଥିବ । ଓଡ଼ିଶାର ଯୁବକମାନେ ରାଜ୍ୟ ବାହାରେ ଦାଦନ ଖଟୁଥିବାବେଳେ, ଆନ୍ଧ୍ରରେ ଇଟଭାଟିରେ ପଶୁଭଳି ବଂଚୁଥିବାବେଳେ ନବୀନ ସରକାରକୁ ଓଡ଼ିଶା ଯୁବକ କାହିଁକି ସମର୍ଥନ ଦେବେ । ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରୁଥିବା ଶିଳ୍ପପତିଙ୍କ ଶିଳ୍ପରେ ଓଡ଼ିଶାର ଯୁବକମାନଙ୍କର ନିଯୁକ୍ତିର ଅଧିକାର ନାହିଁ । କାରଣ ସେହି ଶିଳ୍ପପତି ଓ ନବୀନ ସରକାରର ମଧୁଚନ୍ଦ୍ରିକା ଚାଲିଛି । ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, ସରକାରୀ ଯୋଜନାର ବ୍ୟାପକ ଲୁଟ୍‌, କୃଷି ଓ କୃଷକର ସର୍ବନାଶ, ମହିଳା ଅତ୍ୟାଚାର ବୃଦ୍ଧି, ଉତ୍କଟ ବେକାରୀ ଓ ଦାରିଦ୍ର‌୍ୟ ପାଇଁ ଓଡ଼ିଶାର ସାଧାରଣ ଜନତା ନବୀନ ସରକାର ଉପରୁ ଭରଷା ତୁଟାଇଛନ୍ତି । ଓଡ଼ିଶାର ଯୁବକମାନେ ନିଷ୍ପତି ନେଇଛନ୍ତି ‘ନବୀନ ହଟାଅ ଓ ଓଡ଼ିଶା ବଂଚାଅ’ କାରଣ ନବୀନ ପଟ୍ଟନାୟକ ରହିଲେ ଓଡ଼ିଶାର ସର୍ବନାଶ ହେଉଛି ଏବଂ ଓଡ଼ିଶାର ଜନତା ହନ୍ତସନ୍ତ ହେଉଛନ୍ତି ।  ବିକ୍ଷୋଭ ସମାବେଶ ପରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ବି.ଭି ଶ୍ରୀନିବାସଙ୍କ ସହ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଓ ଅନ୍ୟମାନେ ନବୀନ ନିବାସ ଘେରାଉ କରିବା ପାଇଁ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ରାଜମହଲ ଛକ ଠାରେ ପୁଲିସ ସହ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ବହୁ ଯୁବ କଂଗ୍ରେସ କର୍ମୀ ଓ କର୍ମକର୍ତା ଗୀରଫ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ,
ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାସ, ୟାସିର ନୱାଜ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ଆଲୋକ ଲେଙ୍କା, ସିଦ୍ଧାର୍ଥସ୍ୱରୂପ ଦାସ,ଅଜୟ ସାହୁ, ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲ୍‌ଫାମ୍‌, ଅଭିଜିତ୍ ଜେନା, ସ୍ୱାଗତ କର, ଅମ୍ରେଶ ପରିଡ଼ା,ପ୍ରିୟବ୍ରତ ସାହୁ, ବିରଂଚି ବାରିକ, କୃଷ୍ଣଚନ୍ଦ୍ର ମହାନ୍ତି, କେଦାର ଦଳେଇ, ତପନ କାଣ୍ଡି, ଉଦିତ୍ ପ୍ରଧାନ, ସମ୍ରାଟ ଜେନା, ରଞ୍ଜନ କୁମାର ଦାସ, ଆଲୋକ କୁମାର ଦାସ, ହେମନ୍ତ ମହାପାତ୍ର, ସୁରଜ ରାଉତ, ଶୁଭମ ଦାସ, ଶିଳ୍ପୀଶ୍ରୀ ହରିଚନ୍ଦନ, ସୋନୁ ଶ୍ରୀବାସ୍ତବ, ବନୀତା ଦାସ, ଭାଗ୍ୟଶ୍ରୀ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ଅନନ୍ତ ସାମନ୍ତରାୟ, ରଞ୍ଜିତ ସେନାପତି, ସ୍ପନ୍ଦନ ସ୍ୱାଇଁ, ସୁଶ୍ରୀ ବେହେରା, ଆର୍ଯ୍ୟାନ ସାସମଲ ଓ ସନ୍ଦିପ ସାମନ୍ତରାୟ ଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ କର୍ମକର୍ତାମାନେ ଯୋଗ ଦେଇଥିଲେ ।