ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଅଧିନ ଗୋଠଲୁଣ୍ଡା ବଣିଆପଲ୍ଲୀ ସାହିରେ ବୁଧବାର ବିଳମ୍ବିତ ରାତ୍ର ସମୟରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ପରିବାରର ୬ ବଖରା ଚାଳ ଘର ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର କୁନା ନାଇକ, ଅମର ନାଇକ, ସାମଲ ନାଇକ, ଶୟନ ନାଇକ ଓ ଇଲାସ ନାଇକଙ୍କ ଘର ସମ୍ପୁର୍ଣ୍ଣ ପୋଡି ଯାଇଛି । ରାତି ପ୍ରାୟ ୧୧ ଟା ସମୟରେ ଘର ଗୁଡ଼ିକ ଜଳୁଥିବା ସେମାନେ ଦେଖିଥିଲେ । କେହି କିଛି ବୁଝିବା ପୂର୍ବରୁ ସାହିର ୬ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି I ଅଗ୍ନିଶମ ବିଭାଗକୁ ଏନେଇ ଖବର ଦିଆଯାଇଥିଲେ ମଧ୍ୟ ଗାଁକୁ ଭଲ ରାସ୍ତା ନଥିବାରୁ ଠିକ ସମୟରେ ଗାଡି ଗାଁରେ ପହଞ୍ଚି ପାରିନଥିଲା । ଖବର ପାଇ ବେଙ୍ଗସର ଗ୍ରାମର ଶିକ୍ଷୟତ୍ରୀ ସଚଳା ନାୟକ ନିଜ ସ୍କୁଟିରେ କିଛି ବସ୍ତ୍ର ଓ କମ୍ବଳ ନେଇ ବଣ୍ଟନ କରିଥିବା ବେଳେ ପ୍ରତାପୁର ପଞ୍ଚାୟତର ସମିତି ସଭ୍ୟ ପ୍ରତିନିଧି ଶୁସାନ୍ତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ଜୀବିତାନନ୍ଦ ନାୟକ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ଚାଉଳ, ଡାଲି, ପରିବା ଆଦି ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପରି ବ୍ୟବସାୟୀ ସୂର୍ଯ୍ୟ ସେଠି ସକାଳୁ ସାହିରେ ପହଞ୍ଚି ପାଞ୍ଚ ପରିବାରକୁ ଚୁଡା ଚିନି ପ୍ରଦାନ କରିଛନ୍ତି । ଏହି ଅସହାୟ ପରିବାର ମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇବାକୁ ଦାବି ହୋଇଛି ।