ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅଧୀନ ବାରୁଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ଟି ପରିବାରର ପ୍ରାୟ ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ବାରୁଡା ବଡ ଖଦାଳ ସାହିର ପାଲୁଣି ନାଇକ ଓ ସେବତୀ ନାଇକଙ୍କ ୨ଟି ଲେଖାଏଁ ବଖରା ସହ ରାଜୁ ନାଇକ, ସୁରେଶ ନାଇକ ଓ ଭୀକାରି ନାଇକର ଗୋଟିଏ ଲେଖାଏଁ ବଖରା ଘର ଏହି ଅଗ୍ନିକାଣ୍ଡରେ ଜଳି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା । ଏହାପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସଞ୍ଚୟ କୁମାର ନାୟକ ସେଠାରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଭେଟି ସେମାନଙ୍କୁ ସୁଖିଲା ଖାଦ୍ୟ ପ୍ରଦାନ କରିବା ସହ ରୋଷେଇ କରିବା ପାଇଁ ଚାଉଳ ପନିପରିବା ଆଦି ପ୍ରଦାନ କରିଛନ୍ତି । ପ୍ରଶାସନକୁ ଅବଗତ କରିବା ପରେ ତହସିଲ ପକ୍ଷରୁ ପାଲ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସରକାରୀ ସହୟତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।