ନାବାଳିକା ଦୁଷ୍କର୍ମ ଘଟଣାର ୩ମାସ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ଘୁ.ଉଦୟଗିରି ପୁଲିସ….

ନ୍ୟାୟ ପାଇଁ ଥାନାରେ ପିଡିତା ପରିବାର ଲୋକଙ୍କ ହୋହାଲ୍ଲା

csp

-ବାରମ୍ବାର ଥାନାକୁ ଦୌଡୁଛନ୍ତି ପିଡିତାଙ୍କ ପରିବାର
-ସାମ୍ବାଦିକ ପ୍ରଶ୍ନ କଲେ ଉତ୍ତର ମିଳୁଛି ଚାଲାକି ଦେଖାଅନି

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ନନ୍ଦଗିରି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ହେବାର ଇତି ମଧ୍ୟରେ ୩ ମାସ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ କରି ପୀଡ଼ିତାଙ୍କ ପରିବାର ଏବଂ ସାହିଭାଇ ଆଜି ଘୁ.ଉଦୟଗିରି ଥାନାରେ ପହଞ୍ଚି ଥିଲେ I ପୀଡ଼ିତାଙ୍କ ପରିବାର ପୁଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଆମେ ନ୍ୟାୟ ପାଇବା ପାଇଁ କେତେ ଦିନ ଥାନାକୁ ଦୌଡ଼ିବୁ, ଆମ ଝିଅକୁ କେବେ ନ୍ୟାୟ ମିଳିବ, ଆପଣ ମାନେ ଅଭିଯୁକ୍ତକୁ ଧରିପାରିବେ ନା ନାହିଁ କୁହନ୍ତୁ, ଯଦି ଧରିପାରିବେ ନାହିଁ ତାହାହେଲେ ଆମକୁ କହି ଦିଅନ୍ତୁ, ଆମେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବୁ ଏହିଭଳି ଅନେକ ପ୍ରଶ୍ନ ଏବଂ ଅଭିଯୋଗ ନେଇ ଆଜି ପୀଡ଼ିତାର ପରିବାର ଲୋକ ସ୍ଥାନୀୟ ଥାନାରେ ଦୀର୍ଘ ସମୟ ହୋହାଲ୍କା କରିଥିବା ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନାନୁସାରେ ଜାନୁଆରୀ ୫ ତାରିଖ ରାତି ପ୍ରାୟ ୧୨ ଟା ସମୟରେ ନନ୍ଦଗିରି ଗ୍ରାମରର ଜଣେ ନାବାଳିକା ନିଜ ଘର ସମ୍ମୁଖରେ ପରିସ୍ରା ନିମନ୍ତେ ଯାଇଥିବା ବେଳେ ପଡ଼ିଶା ଘରର ଏକ ବିବାହିତ ଯୁବକ ବୟସ ପ୍ରାୟ ୪୦ ନାବାଳିକାଙ୍କୁ ଜୋର ଜବରଦସ୍ତ କିଛି ନିଶା ଦ୍ରବ୍ୟ ସୁଙ୍ଘେଇ କିଛି ଦୁରକୁ ନେଇଯିବା ସହ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଥିଲା । ଝିଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରିବା ବେଳେ ଅନ୍ୟ ଏକ ଘର ପଛ ପଟରୁ ନିଜ ଝିଅକୁ ଉଦ୍ଧାର କରିଥିଲେ । ଘରକୁ ଯାଇ ଝିଅ ଘଟଣା ବିଷୟରେ ନିଜ ବାପା ମାଁ ଙ୍କୁ କହିଥିଲେ । ଏହାପରେ ସାହି ପଡ଼ିଶା ଲୋକ ଘଟଣା ବିଷୟରେ ଜାଣିବା ପରେ ଥାନାରେ ଜଣେଇଥିଲେ ଓ ଲିଖିତ ଏତଲା ଦେବା ପରେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ I କିନ୍ତୁ ଅଭିଯୁକ୍ତ ଫେରାର ଥିବାରୁ ଗିରଫ ହୋଇନଥିବା ସୂଚନା ଦେଇଥିଲା ପୋଲିସ । ପୀଡ଼ିତାଙ୍କ ପରିବାର ତରଫରୁ ଏକ ଲିଖିତ ଏତଲା ଦେବା ପରେ ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ଥାନା କେଶ ନଂ ୨/୨୩ ଧାରା ୩୭୬ରେ ମାମଲା ରୁଜୁ କରି ଦୁଷ୍କର୍ମ ଶିକାର ହୋଇଥିବା ନାବାଳିକାର ଡାକ୍ତରୀ ମାଇନା ସ୍ଥାନୀୟ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କରାଯାଇଥିଲା । ତଦନ୍ତ ଦାୟିତ୍ବ ନିଜେ ଆଇଆଇସି ନେଇଥିବା ବେଳେ ଘଟଣାକୁ ଇତିମଧ୍ୟରେ ୩ ମାସରୁ ଉର୍ଦ୍ଧ୍ଵ ବିତିଗଲାଣି ପୀଡ଼ିତାଙ୍କ ପରିବାର ସଦସ୍ୟ ବାରମ୍ବାର ଥାନାକୁ ଦୌଡୁଛନ୍ତି ନ୍ୟାୟ ପାଇଁ । ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି ଆମ ଝିଅର ଜୀବନ ନଷ୍ଟ କରିଥିବା ଅଭିଯୁକ୍ତକୁ କେବେ ଦଣ୍ଡ ମିଳିବ। ଆମ ଝିଅ ଘଟଣା ପରଠାରୁ ଏକ ପ୍ରକାର ମାନସିକ ଚାପରେ ରହୁଛି ଆମ ଠାରୁ ଦୂରରେ ଏକ ଆଶ୍ରମରେ ରହୁଛି ଅଥଚ ଦୋଷୀ ଆରାମରେ ଖୋଲାଖୋଲି ବୁଲୁଛି । ପୁଲିସ ଅଭିଯୁକ୍ତକୁ ଜାଣିଶୁଣି ଧରୁନି ବୋଲି ପୀଡ଼ିତା ପରିବାର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ଗଣମାଧ୍ୟମ ପ୍ରତିନିଧି ଘଟଣା ବିଷୟରେ ସ୍ଥାନୀୟ ଥାନା ଆଇଆଇସିଙ୍କୁ ପଚାରିଥିଲେ I ପୀଡ଼ିତା ପରିବାର ତ କହିଲେ ମୁଁ ଆଉ କଣ କହିବି I ଗଣମାଧ୍ୟମ ପ୍ରତିନିଧି ପୁଣି ପଚାରି ଥିଲେ ଘଟଣା ସମ୍ପର୍କରେ ଆପଣ ଆପଣଙ୍କ ମତ ଦିଅନ୍ତୁ I ଏହି ସମୟରେ ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାଲାକି ଦେଖାଅନି କହି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇ ଦେବା ସହ ଦୋଷୀକୁ ଖୋଜା ଚାଲିଛି ଧରାଯିବ କହି ଚାଲି ଯାଇ ଥିଲେ । ପ୍ରଶ୍ନ ଉଠୁଛି ସାମ୍ବାଦିକ ପ୍ରଶ୍ନ କଲେ ତାର ଉତ୍ତର ଦେବା ବଦଳରେ ଚାଲାକି ଦେଖାଅନି କହୁଥିବା ଥାନା ଅଧିକାରୀ ଜଣେ ନାବାଳିକାକୁ ଦୁଷ୍କର୍ମ କରି ମୁକ୍ତ ଭାବେ ଘୁରି ବୁଲୁଥିବା ଅଭିଯୁକ୍ତକୁ ଧରିବାରେ ବିଫଳ ହେବା ପରେ ନିଜ ଦୋଷ କୁ ଘୋଡେ଼ଇବା ପାଇଁ ଏହିଭଳି ଶବ୍ଦ ବ୍ୟବହାର କରିଥିବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ପୀଡ଼ିତା ପରିବାର ୩ ମାସରୁ ଉର୍ଦ୍ଧ୍ବ ହେଲା ଥାନାକୁ ଦୌଡୁଛନ୍ତି ହେଲେ ନ୍ୟାୟ ପାଇପାରୁନାହାନ୍ତି। ପୀଡ଼ିତା ପରିବାର ଏକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବାରୁ ଖଟିଲେ ଖାଆନ୍ତି I ହେଲେ ନିଜ ଝିଅ ଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ିବା ଯୋଗୁଁ ପରିବାର ପ୍ରତିପୋଷଣରେ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି । ଘଟଣା ପରଠାରୁ ପୀଡ଼ିତା ବାପା ମାଙ୍କ ଆଖିରୁ ଲୁହ ଶୁଖୁନି ଝିଅ ଅଛି ଆଶ୍ରମରେ ଅଭିଯୁକ୍ତ ବୁଲୁଛି ମଜ୍ଜାରେ। ପୁଲିସ ପୀଡ଼ିତା ପରିବାରକୁ ଭୂତେଇବାରେ ଲାଗିଛି ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି I