ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଅଫିସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା…..

ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ପରେ ଶିଶୁ ଏବଂ ମାଁ ଅର୍ଥାତ୍ ଛାତ୍ରୀର ମୃତ୍ୟୁ ମାମଲାକୁ ନେଇ ଆଜି କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁରଙ୍କ ନେତୃତ୍ବରେ ଅନୁଷ୍ଠିତ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) ପରିଚାଳନାରେ ମାଦିକୁନ୍ଧା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ଏବଂ ଘଣ୍ଟ ପିଟିପିଟି ରାଲି ମାଧ୍ୟମରେ ବାହାରି ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଆଶିଥିଲେ । ଜିଲ୍ଲାରେ ବାରମ୍ବାର ଆଦିବାସୀ ନାବାଳିକାମାନଙ୍କୁ ନେଇ ଏଭଳି ଘଟଣା ଲୋକାଲୋଚନକୁ ଆଶୁଥିବା ବେଳେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହି ଆଦିବାସୀଙ୍କ ଜୀବନ ସହ ଖେଳୁଛନ୍ତି କହି ଶ୍ରୀ କଅଁର ଅଭିଯୋଗ କରିଛନ୍ତି । ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ସଂଯୋଜକ ନାରାୟଣ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ କେବଳ ଭୋଟ ରାଜନୀତି ପାଇଁ ଆଦିବାସୀଙ୍କୁ ରାଜ୍ୟ ସରକାର ବ୍ୟବହାର କରୁଥିବା ବେଳେ ଆଦିବାସୀଙ୍କୁ ସୁବିଧା ଦେବା ନାମରେ ଅଫିସର ଏବଂ ବିଜେଡି ନେତା ଓ ଠିକାଦାରମାନଙ୍କ ପକେଟ ଗରମ କରୁଥିବା କହିଛନ୍ତି । ‌ଆଜି ଜିଲ୍ଲାର ସମସ୍ତ ଆଶ୍ରମରେ ଛାତ୍ରଛାତ୍ରୀ ଅବ୍ୟବସ୍ଥା ଏବଂ ଭୟରେ ରହୁଥିବା ବେଳେ ତାଙ୍କ ଦାୟିତ୍ଵ ନେଇ ପ୍ରଶାସନ କିନ୍ତୁ ଏ.ସି. ଘରେ କୁମ୍ଭକର୍ଣ୍ଣ ନିଦ୍ରାରେ ଘୁଙ୍ଗୁଡ଼ି ମାରୁଛି ବୋଲି ଶ୍ରୀ କର୍ମୀ କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ ଜିଲ୍ଲାପାଳ ନିରବି ଯାଇଥିବାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି । ସେହିଭଳି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବନାରାୟଣ ପ୍ରଧାନ ସାମିଲ ହୋଇ ଆଦିବାସୀଙ୍କୁ ସେବା ଓ ସୁବିଧା ନାମରେ ଜିଲ୍ଲା ପ୍ରଶାସନ କେବଳ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି । ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି ସାମିଲ ହୋଇ କାହିଁକି ଅବ୍ୟବସ୍ଥା ଘେରରେ ଗର୍ଭବତୀ ଛାତ୍ରୀଙ୍କୁ ଆଣି ରଖାଯାଇଥିଲା, କାହିଁକି ସୁବିଧା ନଥିବା ଡାକ୍ତରଖାନାରେ ଛାତ୍ରୀଟିର ଛୁଆର ମୃତ୍ୟୁ ହେଲାପରେ ମଧ ଆଉ ଗୋଟେ ଦିନ ପକାଇ ରଖାଗଲା କହି ପ୍ରଶାସନ ଉପରେ ବର୍ଷିଥିଲେ ‌। ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଆଦିବାସୀ ନେତା ବସନ୍ତ ପ୍ରଧାନ, ରାମବିଶି ଦିଗାଲ, ରଘୁପତି କଅଁର ପ୍ରମୁଖ ସାମିଲ ହୋଇ ନିଜ ନିଜ ମନ୍ତବ୍ୟ ରଖିଥିଲେ । ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମୋତିଲାଲ୍ ଦିଗାଲ୍ ଉପସଭାପତି ସୁଧାଂଶୁ ଗୁରୁ, ସଂଜୟ ମଲ୍ଲିକ, ସଂଜିତ୍ ପାତ୍ର, ମୁକ୍ତିକାନ୍ତ ମହାନ୍ତି, ବିଶିକେଶନ ପ୍ରଧାନ, ଅରବିନ୍ଦ ପଟ୍ଟନାୟକ, ଅନାଇ ମୁଖି, ଦେବାଶିଷ ପ୍ରୀୟଦର୍ଶନି, ପ୍ରମୁଖଙ୍କ ସହ ବହୁ ଯୁବକ ଶାମିଲ ଥିଲେ l