ବିଶ୍ବ ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ଏନଆଇପି ଆୱାର୍ଡ………

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ବ ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ l କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ l ନୂଆ ଦିଲ୍ଲୀଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l ତେବେ ପୁରସ୍କାର ଗ୍ରହଣ କରିବାକୁ ପହଂଚି ପାରିନଥିଲେ କେହି l ଏଥି ପୂର୍ବରୁ ଉତ୍କୃଷ୍ଟମାନ ଓ ଗୁଣ ବତ୍ତାପାଇଁ କନ୍ଧମାଳ ହଳଦୀକୁ ଜି ଆଇ ଟାଗ ମିଳିଥିଲା l ଏବେ ୨୦୨୧ -୨୨ ବର୍ଷ ପାଇଁ ଏନଆଇପି ଆୱାର୍ଡ ମିଳିଛି l ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରି କୁନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପରଟି ) ଏନଆଇପି ଆୱାର୍ଡ ଆୟୋଜିତ ହୋଇଥିଲା l ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲl l ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରି ଗୁଡିକୁ ପୁରସ୍କୃତ କରାଯାଇଥିଲା l କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା l କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି l ପୁରସ୍କାର ପାଇବା ପରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମର ସମ୍ପାଦକ ସଂଜିତ ପଟନାୟକ ଓ ଭୁବେନେଶ୍ୱର ବ୍ରାଞ୍ଚ ହେଡ଼ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦେଶକ ମନୋଜ ଦାସ ବର୍ତମାନର ଉଦ୍ୟାନ ବିଭାଗ ଉପନିର୍ଦେଶକ ମିହିର କୁମାର ସାମନ୍ତରାୟ ପ୍ରମୁଖଙ୍କ ସମେତ ହଳଦୀ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି l ଏହା ଦ୍ୱାରା ଉନ୍ନତମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାରପ୍ରସାର ପାଇଁନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହର ସହ କାମ କରିବା ପାଇଁ ପ୍ରେରଣା ମିଳିବ ବୋଲି ସମ୍ପାଦକ ସଂଜିତ ପଟନାୟକ କହିଛନ୍ତି l ଚାଷୀମାନେ ମଧ୍ୟ ଏହା ଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି କହିଛନ୍ତି l କସମ ସମ୍ପାଦକ ସଂଜିତ ପଟନାୟକଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ, ଓ ପରି ଶ୍ରମଯୋଗୁଁ କନ୍ଧମାଳ ହଳଦୀ ଜି ଆଇ ମାନ୍ୟତା ପାଇପାରିଥିଲା ଆଉ ଏବେ ଏନଆଇପି ଆୱାର୍ଡ ପାଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି l ଏହାଦ୍ୱାରା କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବ ନିଶ୍ଚୟ ବୋଲି ମତ ପ୍ରକାଶ ପାଇଛି l