ପ୍ରବଳ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ, ରାସ୍ତା ଉପରେ ପାଣି…

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧ତାରିଖ ଠାରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ଅଦିନିଆ ବର୍ଷା ଲାଗିରହିଛି । ଯାହା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ହେଉଛନ୍ତି । ଜରୁରୀ କାମରେ ମଧ୍ୟ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ପ୍ରାୟତଃ ସକାଳେ ପାଗ ସାମାନ୍ୟ ଶୁଖିଲା ରହୁଥିବା ବେଳେ ମଧ୍ୟାହ୍ନରେ କ୍ରମଶଃ ମେଘୁଆ ହୋଇ ପ୍ରତିଦିନ ବର୍ଷା ଲାଗିରହିଛି । ଶୁକ୍ରବାର ମଧ୍ୟାହ୍ନରେ ଭଞ୍ଜନଗର ଠାରେ ଏକ ଘଣ୍ଟା ଧରି ପ୍ରବଳ ବେଗରେ ବର୍ଷା, ପବନ ଓ ଘଡଘଡି ଅନୁଭୂତ ହୋଇଥିଲା । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବର୍ଷା ଯୋଗୁଁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲେ । ଡ୍ରେନେଜ ବ୍ୟବସ୍ଥା ଠିକ ଥିଲେ ମଧ୍ୟ ସହରର ଅନେକ ସ୍ଥାନରେ ବର୍ଷା ଜଳ ଏତେ ପରିମାଣରେ ଜମା ହୋଇଥିଲା ଯେ ଖାଲା ସାହି, ଟେଲିଫୋନ ଭବନ ସାମ୍ନା ରାସ୍ତାରେ ଥିବା ଡ୍ରେନରେ ଠିକ ଭାବେ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିବା ଯୋଗୁଁ ଗାଡ଼ି ମଟର ଅଧା ବୁଡ଼ି ରହିଥିଲା । ବହୁ ସମୟ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିଲା । ଆସ୍ତେ ଆସ୍ତେ ପାଣି କମିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।