ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଅନ୍ତର୍ଗତ ଘଣାନ୍ତିରି ପଞ୍ଚାୟତରେ ପୁଣି ହାତୀ ଆତଙ୍କ । ଗତକାଲି ରାତିରେ ସାମ୍ପିନି ଅଞ୍ଚଳରେ ୬ ଟିକିଆ ହାତୀପଲ ଦେଖ୍ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଦଳ ହାତୀ ଥିବା ସ୍ଥାନରେ ପହଞ୍ଚିଥିଲେ । ଗ୍ରାମବାସୀ ଓ ବନବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀ ଗୁଡିକୁ ଘଉଡାଇଥିଲେ । କିନ୍ତୁ ଏହି ହାତୀପଲ ଆଜି ସକାଳୁ ଖଇରା ଅଞ୍ଚଳରେ ବୁଲୁଥିବା ଗ୍ରାମବାସୀ ଦେଖୁଥିଲେ ।
ଖଇରା ଅଞ୍ଚଳରେ ମଧ୍ୟ ବନବିଭାଗ କର୍ମଚାରୀମାନେ ପହଁଚି ସେଠାରୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି । ଏହି ହାତୀପଲ ଦୀର୍ଘ ଏକ ବର୍ଷ ହେବ ଗୁଡାରି ବନ୍ୟାଞ୍ଚଳରୁ ଗୁଣୁପୁର ବନ୍ୟାଞ୍ଚଳକୁ ଆସିଯାଇଥିଲା । ସେହିଦିନଠାରୁ ଗୁଣୁପୁର ଆଞ୍ଚରେ ତିନି ଜଣ ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିବା ସହ ଗ୍ରାମାଞ୍ଚଳର ଘରଗୁଡିକ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ରହିଛି । ଏହି ଅଞ୍ଚଳର ବିଭିନ୍ନ ଚାଷ ଜମିରେ ଏକ ୬ ଟିକିଆ ହାତୀପଲ ଫସଲ ନଷ୍ଟ କରିଦେଇଥିବା ବେଳେ ୨ ଟି ଘର ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ସାମ୍ପିନି ଗ୍ରାମର ନୀଳମାଧବ ଶବର ଏବଂ ନୂଆଗାଁର କୈଳାଶ ଶବରଙ୍କ ଘର ଏହି ହାତୀପଲ ଭାଙ୍ଗି ଦେଇଥିଲେ । ଏହି ହାତୀପଲ ଜନବସତିମୁହାଁ ହେଉଥିବାରୁ କୌଣସି ସମୟରେ ଅଘଟଣ ଘଟିପାରେ । ତେଣୁ ଅତିଶୀଘ୍ର ଏହି ହାତୀପଲକୁ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ପଠାଇ ଦେବା ପାଇଁ ଦାବି ହେଉଛି । ଏ ନେଇ ଗୁଣୁପୁର ରେଞ୍ଜର ନୀଳମାଧବ ପାଢ଼ୀଙ୍କୁ ପଚାରିବାରୁ ସେ କହନ୍ତି ଯେ ଆମେ ହାତୀପଲକୁ ଏଠାରୁ ଘଉଡାଇଲେ ବିପରୀତ ଦିଗରେ ଥିବା ଗ୍ରାମବାସୀମାନେ ବାଦ୍ୟ ବଜାଇ ଘଉଡାଇ ଦେଇଛନ୍ତି । ଫଳରେ ଏହି ସମସ୍ୟା ସୃଷ୍ଟି ହେଉଛି ।