ଅନୁସନ୍ଧାନ ଭାରତ(ବ୍ୟୁର): ରାସ୍ତାଉପରେ, ଫୁଟ୍ପାଥ ଏବଂ ଡ୍ରେନ୍ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ । ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବା ସ୍ଥାନରେ ଖାଦ୍ୟ ଦୋକାନୀ ବିକି ପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ । ଅଥବା ଅନ୍ଲାଇନ୍ ଡେଲିଭରି କରିପାରିବେ । ବିଏମ୍ସିର ଗାଇଡଲାଇନ୍ ଅନୁସାରେ ରାସ୍ତାକଡ଼ରେ ଖାଦ୍ୟ ଦୋକାନ ପରିଚାଳନା ପାଇଁ ଖାଦ୍ୟ ଦୋକାନୀଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ହେବ ଏବଂ ପାର୍କିଂ ସ୍ଥାନ ଥିବା ଦରକାର । ସେହିଭଳି ଖାଦ୍ୟ ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା (ମୁଣ୍ଡ ଟୋପି, ସଫା ଆପ୍ରନ, ହ୍ୟାଣ୍ଡ ଗ୍ଲୋଭ୍ସ ଏବଂ ଫେସ୍ ମାସ୍କ) ଆବଶ୍ୟକ । ମୋଟାମୋଟି ଭାବେ ଦୋକାନୀମାନେ ସୁସ୍ଥ ପରିବେଶରେ ଖାଦ୍ୟ ପରଷିବା ଦରକାର । ଏଥି ସହିତ ଖାଦ୍ୟ ଦୋକାନୀ ଖାଦ୍ୟ ସୁରକ୍ଷା ନିୟମକୁ ପାଳନ କରିବେ । ନୋ ଭେଣ୍ଡିଂ ଜୋନ୍ରେ ଖାଦ୍ୟ ଦେକାନ ରହିପାରିବ ନାହିଁ ବୋଲି ବିଏମସି ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଛି l