ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅଞ୍ଚଳର ଲାଲସିଙ୍ଗି ସ୍ଥିତ ନର୍ସରୀ ଠାରେ ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହର ଅନ୍ତିମ ଦିବସ ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ବଡ଼ କୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ଓ ବିଭାଗୀୟ ବରିଷ୍ଠ ସହାୟକ ଅଶୋକ କୁମାର ସାହୁ ଯୋଗଦେଇଥିଲେ । ଜୈବ ବିବିଧତା, ବନ୍ୟପ୍ରାଣୀ ସନ୍ତୁଳନ, ଉପରେ ଅତିଥିମାନେ ମତବ୍ୟକ୍ତ କରିଥିବାବେଳେ ମୁଖ୍ୟଅତିଥି ଶ୍ରୀ ରାଉତ ଭାରତର ବନ୍ୟପ୍ରାଣୀ ସାରଣୀ, ପଶୁପକ୍ଷୀ, ସରୀସୃପ ଏବଂ ହାତୀ, ବାଘ, ଭାଲୁ, ହରିଣ, ସମ୍ବର, ବାରହାଙ୍କର ସମାଜରେ ଆବଶ୍ୟକତା ଉପରେ ମତରଖି ଥିଲେ । ସଭାପତି ଶ୍ରୀ ବେହେରା ବନ୍ୟପ୍ରାଣୀର ସୁରକ୍ଷା, ଜଙ୍ଗଲ ସୁରକ୍ଷା ସମିତିର କାର୍ଯ୍ୟ, ବିଭାଗୀୟ କର୍ମଚାରୀଙ୍କ ଭୂମିକା ଉପରେ ବକ୍ତବ୍ୟ ସହ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଫାସୀ କାଠର ସନ୍ଧାନ ପରେ ପୁରୀ ପଠାଯିବା ପାଇଁ ସହଯୋଗ ଉପରେ କହିଥିଲେ । କାର୍ଯ୍ୟକ୍ରମକୁ ଶାନ୍ତନୁ କୁମାର ସାହୁ ସଂଯୋଜନା କରିଥିବା ବେଳେ ଦାଶକାଠି ନୃତ୍ୟ ମାଧ୍ୟମରେ ବନ୍ୟପ୍ରାଣୀ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଭାଗର ବନରକ୍ଷୀ, ବନପାଳ ଓ ବନ କର୍ମଚାରୀମାନେ ପରିଚାଳନା କରିଥିଲେ ।