ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ୍ ମୁଦୁଲିପଲ୍ଲୀ ପଞ୍ଚାୟତର ଭାଲିଆଖାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା ନେଇ ଗୁରୁବାର ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଅଭିଭାବକ । ସ୍କୁଲରେ ପିଲାମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯିବା ସହ କୋଭିଡ ସମୟର ମଧ୍ୟାହ୍ନ ଭୋଜନ ଅର୍ଥ ପିଲାଙ୍କୁ ପ୍ରଦାନ ନକରିବା ଆଦି ଦାବିରେ ଗ୍ରାମର ବହୁ ପୁରୁଷ ଓ ମହିଳା ମୁଖ୍ୟ ଫାଟକରେ ତାଲା ପକାଇ ରଖିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲ ଭିତରକୁ ପ୍ରବେଶ କରି ପାରିନଥିଲେ । ପ୍ରାୟ ୩ ଘଣ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ସମସ୍ତେ ବାହାରେ ଅପେକ୍ଷା କରି ରହିଥିଲେ । ଉକ୍ତ ଘଟଣା ସଂର୍ପକରେ ପ୍ରଧାନ ଶିକ୍ଷୟତ୍ରୀ ବ୍ଳକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରିବା ପରେ ଏବିଇଓ ସୂର୍ଯ୍ୟ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ସ୍କୁଲ ଗେଟ୍ ଖୋଲିଥିଲା । ଏହାପରେ ଅଭିଭାବକମାନଙ୍କ ସହ ସେ ସ୍କୁଲ ପରିସରରେ ସେମାନଙ୍କ ଅଭିଯୋଗ ସଂର୍ପକରେ ଆଲୋଚନା କରିଥିଲେ । ଅଭିଯୋଗ ଅନୁଯାୟୀ, ଉକ୍ତ ସ୍କୁଲରେ ୧୭୦ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛନ୍ତି । ଗତ କୋଭିଡ ସମୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଦିଆଯାଉଥିବା ଅର୍ଥ ସ୍କୁଲ ପିଲାଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏଥିସହ ବର୍ତ୍ତମାନ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ । ପରୀକ୍ଷା ସମୟରେ ମଧ୍ୟ ପ୍ରଶ୍ନପତ୍ର ସଠିକ୍ ଭାବେ ପିଲାଙ୍କୁ ଦିଆଯାଉନାହିଁ । ସ୍କୁଲକୁ ଆସୁଥିବା ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଖରାପ ବ୍ୟବହାର କରୁଥିବା ସେମାନେ ଏବିଇଓଙ୍କୁ ଅଭିଯୋଗ କରିଥିଲେ । ତେଣୁ ତୁରନ୍ତ ତାଙ୍କୁ ଏଠାରୁ ବଦଳି ପାଇଁ ଦାବି କରିଥିଲେ । ଏହି ଅନ୍ଦୋଳନରେ ସ୍କୁଲ ପରିଚାଳନା କମିଟି ସଭାପତି ଲଳିତ ମୋହନ ପ୍ରଧାନ, ମନୋଜ କୁମାର ଡାକୁଆ, ଦିଲ୍ଲିପ ସ୍ବାଇଁ, ଲକ୍ଷ୍ମୀ ସ୍ବାଇଁ, ମାଗୁତି ଗୌଡ, ସୁମିତ୍ରା ବେହେରା, ଅଞ୍ଜଳି ଡାକୁଆଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ରହିଥିଲେ ।