ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କ୍ଷେତ୍ର କର୍ମଚାରୀ ଅଭିନବ ଉପାୟରେ ଟଙ୍କା ହଡ଼ପ ଉଦ୍ୟମ କରି ଜେଲ୍ ଯାଇଛନ୍ତି l ସୂଚନା ଅନୁଯାୟୀ, ସ୍ଥାନୀୟ ମହିଳା ମହାବିଦ୍ୟାଳୟ ନିକଟରେ ପିପୁଲ ଫୋରମ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା କାର୍ଯ୍ୟ କରୁଛି l ଉକ୍ତ ସଂସ୍ଥା ଅଞ୍ଚଳର ବହୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ଜମା ରଖୁଛ l ତେବେ ଏହି ସଂସ୍ଥାରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀ ପ୍ରଦୀପ ଖରା ଗତକାଲି ରାମନାଗୁଡ଼ା ବ୍ଲକର ଗୁଲୁଣ୍ଠି ଅଞ୍ଚଳରୁ ଟଙ୍କା ଆଦାୟ କରି ଗୁଣପୁର ଫେରୁଥିଲେ l ତେବେ ଏହି ଟଙ୍କା ହଡ଼ପ କରିବା ପାଇଁ ସେ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ l ସୁବାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବ୍ୟାଗ୍ରେ ଥିବା ୯୪,୬୭୫ ଟଙ୍କା ପୋତି ଦେବା ପରେ କୌଣସି ଅଜଣା ବ୍ୟକ୍ତି ତାଙ୍କ ଠାରୁ ଏହି ଟଙ୍କା ଲୁଟ୍ କରିଥିବା ନେଇ ସଂସ୍ଥାର ଶାଖା ପରିଚାଳକ ସନ୍ତୋଷ କୁମାର ଗୌଡ଼ଙ୍କୁ ଫୋନରେ ଜଣାଇଥିଲେ l ଏଭଳି ଅଭିଯୋଗ ପାଇବା ମାତ୍ରେ ଶ୍ରୀ ଗୌଡ଼ ତୁରନ୍ତ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଏନେଇ ପୁଲିସ ତଦନ୍ତ କରିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇଥିଲା l କ୍ଷେତ୍ର କର୍ମଚାରୀ ପ୍ରଦୀପ ଖରାଙ୍କୁ ପୁଲିସ ମାରାଥନ୍ ଜେରା କରିବା ପରେ ଆଦାୟ କରିଥିବା ଟଙ୍କା ହଡ଼ପ କରିବା ଉଦ୍ଦଶ୍ୟରେ ସେ ଏଭଳି ଅଭିନୟ କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ଥାନା ଅଧିକାରୀ ନୀଳାମ୍ବର ଜାନି ସୂଚନା ଦେଇଛନ୍ତି l ପୁଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ଗାତରେ ପୋତା ଯାଇଥିବା ଟଙ୍କା ବ୍ୟାଗ୍ ଜବତ କରିଥିଲା l ଏହି ବ୍ୟାଗ୍ରେ ୮୦,୭୭୦ ଥିବା ପୁଲିସ ଦେଖିବାକୁ ପାଇଥିଲା l ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l ଏଠାରେ ସୂଚନା ଯୋଗ୍ୟଯେ ଗୁଣପୁ ରେ ଅନେକ ଭଡା ଘର ଗୁଡ଼ିକରେ ବେଆଇନ ଭାବେ ଅର୍ଥ ଲଗାଣ ସଂସ୍ଥା ଗୁଡିକ ଆସ୍ଥା ଜମେଇ ଗ୍ରାମାଞ୍ଚଳ ଲୋକଙ୍କୁ ଠକିବାରେ ଲାଗିଛନ୍ତି l ଏଦିଗରେ ପ୍ରଶାସନର କୌଣସି ଅଙ୍କୁଶ ରହୁ ନଥିବାରୁ ଠକ ସଂସ୍ଥା ଗୁଡିକ ଦିନକୁ ଦିନ ବଢ଼ିବାରେ ଲାଗିଛି l ତୁରନ୍ତ ପ୍ରଶାସନ ଏଗୁଡିକ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l