କାଶୀପୁର ମାଟିରେ ଉଠିଲା କୋଶଳ ରାଜ୍ୟ ଗଠନ ଦାବୀ, ମହାବନ୍ଦର ପ୍ରଭାବରେ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ରାୟଗଡା ଜିଲ୍ଲାରେ ଯାତାୟାତ ସେବା ଠପ୍…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଥମ ଥର ପାଇଁ କାଶୀପୁର ମାଟିରେ ଉଠିଛି କୋଶଳ ରାଜ୍ୟ ଗଠନର ଦାବୀ l ପଶ୍ଚିମ ଓଡିଶାର କୋଶଳ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ଲାଗି ହେଉଥିବା ଦୀର୍ଘଦିନର ଦାବୀ ରାଜ୍ୟ ଓ କେନ୍ଦ୍ର ସରକାର କ୍ରମାଗତ ଭାବେ ବିଭିନ୍ନ ଆଳ ଦେଖାଇ ଅଣଦେଖା କରୁଥିବା ବେଳେ ଆଜି ଏହାର ମହାବନ୍ଦ ପାଳନ ହେଉଛି l ଏହି ମହାବନ୍ଦର ପ୍ରଭାବରେ ଓଡ଼ିଶାର ୧୦ଟି ଜିଲ୍ଲା ସହିତ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ସଦର ମହକୁମା ଠାରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ରାଜ୍ୟର ଏହି ସ୍ୱର ଉଠିଥିବା ଦେଖିବାକୁ ମିଳିଛି l ଆଜିର ଏହି କାର୍ଯ୍ୟକ୍ରମକୁ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସଙ୍କ ଆବାହନ କ୍ରମେ କାଶୀପୁର ବ୍ଲକ ଆବାହକ ଅଞ୍ଜନ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ଯୁବକ ଏକତ୍ରିତ ହେଇ ଏହି ବନ୍ଦ ଡାକରାକୁ ସଫଳ କରିବାକୁ କାଶୀପୁର ସ୍ଥିତ ଜଗନ୍ନାଥ ମନ୍ଦିର ଚୌକଠାରୁ ଏକ ସଭା ଯାତ୍ରା ବାହାରି  କୋଶଲ ରାଇଜ ପ୍ରତିଷ୍ଠା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେବା ସହିତ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି  ଏକ ଦାବି ପତ୍ର ପ୍ରଦାନ କରିଥିଲେ l ପ୍ରକାଶ ଥାଉକି କାଶୀପୁର ବ୍ଲକର ଅଧିକାଂଶ ଗାଁ ୧୯୬୪ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଅଭିନ୍ନ ଅଙ୍ଗଭାବେ ରହିଆସିଥିଲା l ସେହିପରି ବିଭିନ୍ନ ନିର୍ବାଚନ ସମୟରେ ମଧ୍ୟ ଏଠାକାର ନେତୃବୃନ୍ଦ ନେତୃତ୍ୱ ନେଇ ଆସୁଥିଲା l ଦୃଷ୍ଟାନ୍ତ ସ୍ୱରୂପ କଳାହାଣ୍ଡି ଜିଲ୍ଲା ଜୟପାଟଣା ନିର୍ବାଚନ ମଣ୍ଡଳୀରୁ ଝାଜରୁ ଝୋଡ଼ିଆ ଓ ମାଣିକ ରାୟ ନାଏକ ତତ୍କାଳୀନ  ବିଧାୟକ ଭାବେ ନିର୍ବାଚିତ ହେଇଆସୁଥିଲେ l ହେଲେ କୌଣସି କାରଣରୁ କାଶୀପୁର ପ୍ରଥମେ କଳାହାଣ୍ଡି ଠାରୁ ବିଭକ୍ତ ହେଇ କୋରାପୁଟ ଜିଲ୍ଲାରେ ଜଡିତ ହେଇଯାଇଥିଲା l ପରବର୍ତ୍ତୀ ୧୯୯୨ ମସିହାରେ ସମୟରେ ଓଡିଶାରେ ଲୋକଙ୍କୁ ପ୍ରଶାସନିକ ସେବାକୁ ହାତପହଁନ୍ତ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ୩୦ ଗୋଟି ଜିଲ୍ଲା ସୃଷ୍ଟି କରାଯାଇଥିଲା l ସେହି କ୍ରମରେ ଉକ୍ତ ନିଷ୍ପତ୍ତି ପ୍ରକାରେ କାଶୀପୁର ବ୍ଲକକୁ ବାଧ୍ୟ ହେଇ ରାୟଗଡା ଜିଲ୍ଲାରେ ଲିନ୍ନ ହେବାକୁ ପଡିଥିଲା l ଏସବୁ ସତ୍ବେ ମାଧ୍ୟ ଏପର୍ଯ୍ୟନ୍ତ କାଶୀପୁର ଓ କଳାହାଣ୍ଡି ମଧ୍ୟରେ ପୂର୍ବ ସମ୍ପର୍କ ନିବିଡ଼ ରହିଥିବାବେଳେ ଉଭୟ ଅଞ୍ଚଳର ଭାଷା, ସଂସ୍କୃତି, ବନ୍ଧୁ ବାନ୍ଧବ ଭଳି ସମ୍ପର୍କ ରହିଆସିଛି l ଏଣୁ ଉକ୍ତ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ପ୍ରତି ଅନୁପ୍ରାଣିତ ହେଇ ସ୍ୱତନ୍ତ୍ର ରାଜ୍ୟର ଦାବୀ ତଥା ଆଜିର ମହାବନ୍ଦ ଦାବୀକୁ ସମର୍ଥନ ଜଣାଇ ଅଞ୍ଚଳ ଶତାଧିକ ଯୁବଗୋଷ୍ଟି ମଧ୍ୟରୁ ଜୟଚନ୍ଦ୍ର ମାଝୀ,  ଉମା କାନ୍ତ ନାଏକ, ଲବକାନ୍ତ ଦରା, ପରମେଶ୍ୱର ପ୍ରଧାନୀ, ଅମିତ ନାଏକ, ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l