ଦୟନିୟ ଅବସ୍ଥାରେ ମୁନିଗୁଡାର ଗୋପବନ୍ଧୁ ଦୈନିକ ମାର୍କେଟ: ବଜାର ପରିସର କାଦୁଅରେ ଭର୍ତ୍ତି ହୋଇ ଥିବାରୁ ଗ୍ରାହକ ଓ ବ୍ୟବସାୟୀ ହନ୍ତସନ୍ତ, ବାରମ୍ବାର ଦାବୀ ସତ୍ବେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଓ ଜନପ୍ରତିନିଧି…
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲାର ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠ ମୁନିଗୁଡାର ରାସ୍ତାଘାଟ ଓ ଡ୍ରେନ ସମସ୍ୟା ବର୍ଷାଋତୁରେ ଅତ୍ଯନ୍ତ ଦୟନିୟ ହୋଇର ପଡିଛି l ଏହି ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିଲେ ସୁଦ୍ଧା ପୂର୍ତ୍ତବିଭାଗ, ଆରଡି ବିଭାଗ, ବ୍ଲକ ଓ ପଂଚାୟତ କର୍ମଚାରୀ ନିରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି l ମୁନିଗୁଡାର ରାସ୍ତାଘାଟ, ନାଳ ନାର୍ଦମାର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖା ଦେଉନ ଥିବା ଅଂଚଳ ବାସୀ କହିଛନ୍ତି l ଏହା ସହ ସମସ୍ୟାର ସମଧାନ ପାଇଁ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ନିଘାନାହିଁ ବୋଲି ସ୍ଥାନୀୟ ବାସିନ୍ଧାଙ୍କ ମଧ୍ୟରେ ମତପ୍ରକାଶ ପାଇଛି l ଗ୍ରୀଷ୍ମ ରୁତୁରେ “ଏମାନେ ଏସବୁର ଉନ୍ନୟନ ପାଇଁ ଚିନ୍ତା କଲେନାହିଁ,ଏବେ ବର୍ଷାଋତୁରେ ଏମାନେ କଣ କରିପକେଇବେ? ଏମାନଙ୍କର ଗଠନାତ୍ମକ ମନବୃତ୍ତି ଆଦୌ ନାହିଁ ବୋଲି କିଛି ବ୍ୟବସାୟୀ କଟାକ୍ଷ କରି କୁହାକୁହି ହେଉ ଥିବାର ଦେଖିବାକୁ ମିଳିଛି l

ପ୍ରକୃତରେ କଣ ପାଇଁ ଦୀର୍ଘବର୍ଷ ହେବ ରାସ୍ତାଘାଟ, ଡ୍ରେନ ସଫା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ହେଉନାହିଁ ? ସରକାରଙ୍କ ପକ୍ଷରୁ ମୁନିଗୁଡା ଉନ୍ନୟନ ପାଇଁ ଅର୍ଥର ଅଭାବ ନାଁ ଲୋକପ୍ରତିନିଧି ଓ ପ୍ରଶାସନର ମୁନିଗୁଡା ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ? ସାଧାରଣ ଜନତା ଏସବୁର ଖିଅ ଖୋଜି ପାଉନଥିଲା ବେଳେ ଜୀବନ ଜୀବିକାକୁ ନେଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମୁନିଗୁଡା ସିନେମା ହଲ ରୋଡ଼ ପାର୍ଶରେ ଥିବା ଗୋପବନ୍ଧୁ ଦୈନିକ ବଜାର ପରିବା ବେପାରୀ ଓ ଆମିଷ ବେପାରୀଙ୍କ ନିମନ୍ତେ ଗଲା ଦେଢ ବର୍ଷ ପୂର୍ବୁ ଆରମ୍ଭ ହୋଇଥିବା ବେଳେ ଏବେ ଏଠାରେ ମାତ୍ର ଦୁଇଜଣ ପରିବା ବେପାରୀ ଓ ୨୦/୨୫ମାଛ, ମାଂସ ଓ ଚେକେନ ବେପାରୀ ଅଛନ୍ତି l ଏମାନଙ୍କ ବ୍ୟତୀତ ଅନ୍ୟ ପ୍ରାୟ ପଚାଶରୁ ଉର୍ଦ୍ଧ ପରିବା ଦୋକାନୀ ଓ ମାଛ, ମାଂସ ଦୋକାନୀ ଗୋପବନ୍ଧୁ ଦୈନିକ ବଜାର ପରିବେଶର ଅସୁବିଧା କାରଣରୁ ଗୋବର୍ଦ୍ଧନ, ଗୁଣ୍ଡିଚା ଛକ, ମେଡ଼ିକାଲ ଛକ, ସିଂହଦ୍ଵାର ଓ ବସଷ୍ଟାଣ୍ଡ ଛକରେ ପସରା ପକାଇ ବେପାର କରୁଛନ୍ତି l ବର୍ଷାଋତୁ ଯୋଗୁଁ ମୁନିଗୁଡ଼ାରେ ରାସ୍ତାଘାଟ ପରିସ୍ଥିତି ଅତି ଦୟନୀୟ ହୋଇ ପଡିଛି l 
ଏଥି ମଧ୍ୟରେ ମୁନିଗୁଡାର ଗୋପବନ୍ଧୁ ଦୈନିକ ବଜାରର ରାସ୍ତା ଖାଲଖମାରେ ବର୍ଷାପାଣି ପରିପୂର୍ଣ୍ଣ ହୋଇଯାଇଛି l ଏଠାରେ ବେପାର କରିବା କଷ୍ଟ ହୋଇ ପଡୁଥିବା ବେଳେ ଗ୍ରାହକ ଆସିବାକୁ ଅନିଛୁକ ହେଉ ଥିବାର ଦେଖିବାକୁ ମିଳିଛି l ଆମିଷ ବଜାର ଯିବା କଷ୍ଟକର ଥିବା ବେଳେ ଗ୍ରାହକମାନେ ପରିବା କିଣିବାକୁ ଯାଇ ଖାଲଖମାରେ ପଡି ଆହତ ହେଉ ଥିବା ଅଂଚଳ ବାସୀ କହିଛନ୍ତି l ଯେତେ ଗୁହାରି କଲେବି ପ୍ରଶାସନିକ ଅଧିକାରୀ ଓ ନିର୍ବଚିତ ଜନପ୍ରତିନିଧିଙ୍କ ଆନ୍ତରିକତା ଦେଖାଉନ ଥିବା ସ୍ଥାନୀୟ ବାସିନ୍ଧା କହିଛନ୍ତି l ବହୁ ଦାବୀ ସତ୍ବେ ବାଧ୍ୟ ହୋଇ ସରକାରୀ ବାବୁମାନେ ଦୁଇ ଚାରି ଟ୍ରାକ୍ଟର ମାଟି ଓ ଦୁଇ ଟ୍ରିପ କ୍ରସର ଗୁଣ୍ଡ ପକାଇ ଦେଇ କାମ ସାରି ଦେଉଥିବା ପରିବା ଓ ଆମିଷ ବେପାରିମାନେ ଅଭିଯୋଗ୍ କରିଛନ୍ତି l ମୁନିଗୁଡା ଗୋପବନ୍ଧୁ ପରିବା ମାର୍କେଟର ଅବସ୍ଥା ନ କହିବା ଭଲ l ବ୍ୟବସାୟୀ, ଗ୍ରାହକ, ସାଧାରଣ ଜନତା, ବିଭିନ୍ନ ସାମାଜିକ ସଂଗଠନମାନଙ୍କ ଅଭିଯୋଗ, ଆନ୍ଦୋଳନ ନହେଲେ କିମ୍ବା ଗଣମାଧ୍ୟମରେ ସାଧାରଣ ଜନତାଙ୍କ ଅସୁବିଧା ପ୍ରକାଶିତ ନହେଲେ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ରହୁଛି ବୋଲି ଅଂଚଳର ବାସିନ୍ଧା ମତପ୍ରକଶ କରିଛନ୍ତି l ଏଣୁ ଯଥାଶୀଘ୍ର ଗୋପବନ୍ଧୁ ଦୈନିକ ବଜାର ରାସ୍ତା ନିୟମିତ କରିବା ସହ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ମୁନିଗୁଡା ଜନସାଧାରଣ ଓ ବ୍ୟବସାୟୀମାନେ ଦାବି କରିଛନ୍ତି l