ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଅଧିନସ୍ଥ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ହାତୀର ଶୁକ୍ରବାର ବ୍ୟବଚ୍ଛେଦ କରାଯାଇଛି l ଏହି ସମୟରେ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଅଣ୍ଡିରା ହାତୀଟିର ବୟସ ପ୍ରାୟ ୨୦ବର୍ଷ ହେବ ଏବଂ ଶିକାରୀ ମାନେ ତାର ଦାନ୍ତ କାଟି ନେଇ ଯାଇଥିବା ବେଳେ ପୋଷ୍ଟ ମଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି l ସୂଚନା ମୁତାବକ ଗୁରୁବାର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଦୁର୍ଗନ୍ଧ ହେବାରୁ କିଛି ଲୋକ ସେଠାରେ ପହଞ୍ଚି ଏକ ହାତୀ ମରି ପଡିଥିବା ଦେଖିଥିଲେ l ଏସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ କିଛି ସାମ୍ବାଦିକ ପହଞ୍ଚି ଅନୁସନ୍ଧାନ କରିବାରୁ ସେଠାରୁ ଏକ ଗୁଳି ବିଦ୍ଧ ହାତୀର ଗଳିତ ମୃତ ଦେହ ଠାବ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ସନ୍ଧ୍ୟା ସମୟରେ ସେଠାରେ ପହଞ୍ଚି ମୃତ ହାତୀଟିକୁ ତରବରିଆ ଭାବେ ପୋତି ଦେବାକୁ ଉଦ୍ୟମ କରିଥିଲେ । ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ତାହା ସମ୍ଭବ ହୋଇ ନଥିଲା । ଶେଷରେ ବାଧ୍ୟ ହୋଇ ଶୁକ୍ରବାର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା । ଡ଼ିଏଫଓ ସୁଦର୍ଶନ ବେହେରା, ଏସିଏଫ ବିକ୍ରମ ଦେବ ପଟ୍ଟନାୟକ, ରେଞ୍ଜର ବିମ୍ବାଧର ସାହୁ ଓ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟ ସମୟରେ ବହୁ ବନ କର୍ମଚାରୀ ନିଜ କ୍ଷେତ୍ରରେ ରହିବା ପରିବର୍ତ୍ତେ କାର୍ଯ୍ୟାଳୟରେ ସମୟ କଟାଉଥିବାରୁ ଶିକାରୀ ମାନେ ତାର ଫାଇଦା ଉଠାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।