କନ୍ଧମାଳରେ ସରୁନି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ହୋଇ ଥିବା ଅଭିଯୋଗ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳରେ ସରୁନି ଦାଦନ ଦୁଃଖ l ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଅଞ୍ଚଳ ବାସୀ I ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ ବାହାର ରାଜ୍ୟରେ ଶାରିରୀକ ନିର୍ଯାତନାର ଶିକାର ହେଉଛନ୍ତି I ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି I ଏପରିକି ନାବାଳିକା ଓ ମହିଳାଙ୍କୁ ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି I ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମ ଯୋଗୁଁ ଦଲାଲମାନେ ସକ୍ରିୟ ହେଉଛନ୍ତି I ପ୍ରଲୋଭନ ଦେଖାଇ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି I ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ I ଗୁଳିମରା ସାହିର ସୋମନାଥ ପୂଜାରୀ ଓରଫ ଶମ୍ବୁ ପୂଜାରୀ ନାମକ ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଦୀର୍ଘ ପାଞ୍ଚ ମାସ ହେବ ନିଖୋଜ ଅଛନ୍ତି I ସୋମନାଥଙ୍କର କୌଣସି ସନ୍ଧାନ ମିଳୁନାହିଁ ଇ

csp

ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୧ ତାରିଖ ଦିନ ଗୁଳିମରା ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସୋମନାଥଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା I ପୁଣି ଦୁଇ ଦିନପରେ ସୋମନାଥ ଗାଁକୁ ଫେରୁଥିବା ବେଳେ ଗୁଣ୍ଡୁର ରେଳ ଷ୍ଟେସନରେ ନିଖୋଜ ହୋଇଛି ବୋଲି ଖବର ଦେଇଥିଲା I ସୋମନାଥଙ୍କ ପରିବାର ଲୋକେ ସୋମନାଥଙ୍କୁ ଖୋଜି ଆଣିଦିଅ ବୋଲି ସନ୍ତୋଷକୁ କହିଥିଲେ। ହେଲେ ଦଲାଲ ସନ୍ତୋଷ ମଙ୍ଗରାଜ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହେଉଛି l

ସୋମନାଥଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି I ଏନେଇ ସୋମନାଥ ପୂଜାରୀଙ୍କ ସ୍ତ୍ରୀ ସବିତା ପୂଜାରୀ ବାଲିଗୁଡା ଥାନାରେ ଏତଲା ଦେଇଥିଲେ I ତେବେ ତଦନ୍ତରେ ପୁଲିସ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ପରିବାର l ଏନେଇ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କୁ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି ଯେ, ନିଖୋଜ ବ୍ୟକ୍ତି ଫୋନ ଧରୁନଥିବାରୁ ସମସ୍ୟା ସୃଷ୍ଟି ହୋଇଛି I ଉକ୍ତ ଘଟଣାର ତଦନ୍ତ ଚାଲିଛି I ସନ୍ତୋଷ ମଙ୍ଗରାଜକୁ ଡାକି ପଚରାଉଚରା କରାଯାଇ ଖୁବଶୀଘ୍ର ଉଦ୍ଧାର ପାଇଁ ପ୍ରୟାସ କରାଯିବ I ଏପଟେ ଶମ୍ବୁପୂଜାରୀ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବା ମୁସ୍କିଲ ହୋଇପଡିଛି I ପରିବାର ଲୋକେ ଭୋକ ଉପବାସରେ ସୋମନାଥଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି I ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି I