ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନିନ୍ଦା….

ଭଞ୍ଜନଗର(ନିଲୁ ବିଷୋୟୀ): ଦଳ ବିରୋଧୀ କାର୍ଯ୍ୟ ସକାଶେ ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି ୩ ବିଧାୟକ ସମାଲୋଚନାର ଶିକାର ହୋଇଛନ୍ତି । ଗତ ୧୬ତାରିଖରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପିସିସି ସଭାପତିଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ ନକରି ଉକ୍ତ ୩ଜଣ ବିଧାୟକ ଦଳ ବିରୋଧରେ କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ଏହାର ପ୍ରଭାବରେ ବିଜେପି ଦଳ ବିଜୟୀ ହୋଇଛି । ତେଣୁ ସେମାନଙ୍କ ବିରୁଦ୍ଧରେ ରାଜ୍ୟ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ପୂର୍ବତନ କଂଗ୍ରେସ ବ୍ଲକ ଅଧ୍ୟକ୍ଷ ବି.ଦଣ୍ଡପାଣି ପାତ୍ର ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ ମଙ୍ଗଳବାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରସ ଭୋଟିଂକୁ ନିନ୍ଦା କରିବା ସହ ନିଜ ସ୍ୱାର୍ଥ ହାସଲ ପାଇଁ ସେମାନେ ସମସ୍ତ କଂଗ୍ରେସ କର୍ମୀମାନଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି । ଯାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଦଳୀୟ ଟିକେଟରେ ବିଜୟୀ ହୋଇ କିଛି ଅର୍ଥ ଲୋଭରେ ଅନ୍ୟ ପ୍ରାର୍ଥୀକୁ ସମର୍ଥନ କରିଛନ୍ତି । ତେଣୁ ଦଳ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି । ଏଥି ସହିତ ଭଞ୍ଜନଗର ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ଖୋଦ କନିଷ୍ଠ ଯନ୍ତ୍ରୀମାନେ ଏଥିରେ ଲିପ୍ତ ରହୁଥିବା କଂଗ୍ରେସ ନେତା ଦଣ୍ଡପାଣି ପାତ୍ର ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ବ୍ଲକ କାଯ୍ୟାଳୟକୁ କଂଗ୍ରେସ ପକ୍ଷରୁ ଘେରାଉ କରାଯିବ ବୋଲି କହିଛନ୍ତି ।