କଟକ ଏସ୍ ସି ବି ଅଗ୍ନି କାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ
ଅନୁସନ୍ଧାନ ଭାରତ(ବ୍ୟୁର): ଏସ୍ ସି ବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡରେ ୧୧ ଜଣ ଚିକିତ୍ସାଧୀନ ରୋଗୀଙ୍କର ମର୍ମନ୍ତୁଦ ହୃଦୟବିଦାରକ ମୃତ୍ୟୁ ଦୁର୍ଭାଗ୍ୟଜନକ ଓ ଏଥିପାଇଁ ପ୍ରଶାସନିକ ଅବହେଳା, ପରିଚାଳନାଗତ ତୃଟି ସବୋର୍ପରି ସରକାରୀ ଉଦାସୀନତା ଦାୟୀ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସିଥିବା ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ମତବ୍ୟକ୍ତ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସିଥିବା ତଥ୍ୟ ଅନୁସନ୍ଧାନ କାରୀ ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନରେ ବଡ଼ ମେଡିକାଲରେ ପହଞ୍ଚି ଶବ ନିଆଁ ଲାଗିଥିବା ଘଟଣାସ୍ଥଳ, ଶବବ୍ୟବଚ୍ଛେଦ ଗୃହରେ ମୃତକଙ୍କୁ ଦେଖିବା ପରେ ଉପସ୍ଥିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଓ ସମବେଦନା ଜଣାଇଥିଲେ । ମୃତକଙ୍କ ପରିବାର ବର୍ଗଙ୍କୁ ୧ କୋଟି ଟଙ୍କାର ସହାୟତା ରାଶି ସରକାର ତୁରନ୍ତ ପ୍ରଦାନ କରିବା ସହ ପରିବାରର ଜଣକୁ ଚାକିରି ଦେବାପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି ଜଣାଇଛନ୍ତି । ଏଥିସହ ଏପରି ଦାୟୀତ୍ୱ ହୀନତାରେ ସଂପୃକ୍ତ ଅଧିକାରୀମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଦାବି ରଖିଥିଲେ । କଟକ ବଡ଼ ଡାକ୍ତରଖାନା ରାଜ୍ୟ ଜନସାଧାରଣଙ୍କର ଭରସାର ମୁଖ୍ୟ ସ୍ଥଳ ଓ ରାଜ୍ୟର ସବୁ ଅଞ୍ଚଳରୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ଏହାର ଭିତ୍ତିଭୂମିର ବିକାଶ ଓ ସଠିକ୍ ପରିଚାଳନା ନ ହେଉଥିବାରୁ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟ ମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ନେତୃମଣ୍ଡଳୀ ଏକ ଖବରଦାତା ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ଵାରା ଗଠିତ ଏହି କମିଟି ମେଡିକାଲ ପରିଦର୍ଶନ କରିବା ପରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କ ଅପାର ଗତା ସଂପର୍କରେ ବର୍ଷିବା ସହ ଘଟଣାର ବିଦ୍ଧିବଦ୍ଧ ତଦନ୍ତ ଦାବି କରିଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ମଣ୍ଡଳୀର ଅଧ୍ୟକ୍ଷ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନଗେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଶ୍ବଜିତ ଦାସ, ତ୍ରିଲୋଚନ ମହାନ୍ତି, କର୍ପୋରେଟର କାମେଶ୍ୱର ରାଓ, ପ୍ରତାପ ମଲ୍ଲିକ, ଶିଶିର କାନ୍ତ ମିଶ୍ର, ନିର୍ମଳ ସ୍ଵାଇଁ, ମାନସ କୁମାର ପରିଡ଼ା, ପ୍ରଶାନ୍ତ ବେହେରା, ରାଜେନ୍ଦ୍ର ପଟ୍ଟନାୟକ, ମହମ୍ମଦ ଆରିଫ ଉଦ୍ଦିନ ଖାଁ, ହରିବନ୍ଧୁ ଶତପଥୀ, ବିଜ୍ଞାନ ଭୂୟାଁ, ମନୋଜ ଖିଲାର, ବିପିନ୍ ପଶାୟତ, ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।