ଜୁରାପାଡାରେ ରାସ୍ତା ଓ ପାନୀୟ ଜଳ ସମସ୍ୟା, ନଳକୂପର କଳଙ୍କିଯୁକ୍ତ ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଲୋକେ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମର ଜୁରାପାଡା ସାହିରେ ଦେଖିବାକୁ ମିଳିଛି ରାସ୍ତା ଓ ପାନୀୟ ଜଳର ଉତ୍କଟ ସମସ୍ୟା । କୁହାଯାଏ “ଜଳ ହିଁ ଜୀବନ” ଶରୀର ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକ । କିନ୍ତୁ ଏଠାରେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଞ୍ଚଳବାସୀ । ଉକ୍ତ ଗାଁ ରେ ୨୫ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ସେହି ୨୫ ପରିବାର ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ l ସେଥିରୁ କଳଙ୍କିଯୁକ୍ତ ଗୋଳିଆ ପାଣି ବାହାରୁଛି । ଜାହାରୀ ଫଳରେ ଅଞ୍ଚଳ ବାସୀ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାରେ ବିଫଳ ହେଉଛନ୍ତି । ଉକ୍ତ ଗାଁରେ ଚୁଆଁ କି କୂଅ ନଥିବା ଯୋଗୁଁ ପିଇବା ଠାରୁ ଆରମ୍ଭ କରି ଗାଧେଇବା ଏବଂ ଲୁଗା ସଫା କରିବା ଏହି ଗୋଟିଏ ନଳକୂପର ନିର୍ଭର କରିଥାନ୍ତି । ଏହି ଜୁରାପାଡା ସାହିର ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ଓ୍ବାର୍ଡ଼ମେମ୍ବର, ସରପଞ୍ଚ, ସମିତିସଭ୍ୟ ତଥା ବ୍ଲକ ପ୍ରଶାସନକୁ ଲିଖିତ ଏବଂ ମୌଖିକ ଭାବେ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳି ପାରୁନାହିଁ । ଏଠି ସାଧାରଣରେ ପ୍ରଶ୍ନ ଉଠେ, ପ୍ରଶାସନ ଜାଣି ଶୁଣି ଅଜଣା ନା’ ଉକ୍ତ ସାହିର ଜନସାଧାରଣଙ୍କ ପ୍ରତି ଉଦାସୀନତା ? କାରଣ ଦୀର୍ଘ ଦିନର ସମସ୍ୟା l ଆଜି ବି ଅବହେଳିତ ଏହି ଗାଁ ।  କୁମ୍ଭାରମୁଣ୍ଡା ଗ୍ରାମର ଜୁରାପାଡା ସାହିର ଭୌଗୋଳିକ ପରିସ୍ଥିତି ଅତି ସାଂଘାତିକ । ସତେ ଯେମିତି ଅଭିଶପ୍ତ ଗାଆଁ ଟିଏ ।ଏଠାରେ ନା’ ଭଲ ରାସ୍ତାଟିଏ ଅଛି ନା’ ବିଶୁଦ୍ଧ ପାନୀୟ ଜଳର ଯୋଗାଣ ? ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ନଳକୂପର କଳଙ୍କିଯୁକ୍ତ ଗୋଳିଆ ପାଣି ଉପରେ ନିର୍ଭର କରି ଆସୁଛନ୍ତି । ବର୍ଷା ଦିନର ସମସ୍ୟା ନ କହିବା ଭଲ । କାରଣ ବର୍ଷା ଦିନରେ ଏଠି ଯାନରେ ଯିବା ତ ଦୂରର କଥା ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର ।  ମାଟି ରାସ୍ତା ଯୋଗୁଁ ସମସ୍ୟା ଆହୁରି ଦ୍ବିଗୁଣ । ଏହି ଅବସ୍ଥାରେ ଉକ୍ତ ଗାଁର ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡିର କୁନି କୁନି ପିଲାମାନେ ବିଦ୍ୟାଳୟକୁ ଯିବା ସମୟରେ ଅନେକ ଥର ଗୋଡ଼ ଖସି ପଡ଼ିଯାଆନ୍ତି । ତଥାପି ଏହି ସମସ୍ୟା ପ୍ରତି ପ୍ରଶାସନ ଆଜି ବି ନିଦାବିଷ୍ଣୁ । ଏହି ବିଷୟରେ କିରିକୁଟି ସରପଞ୍ଚ ମଧୁସ୍ମିତା ପ୍ରଧାନଙ୍କୁ ପଚାରିବାରୁ କହିଥିଲେ ଯେ ଆମେ ବ୍ଲକ ପ୍ରଶାସନକୁ ଜଣେଇଛୁ ଓ ବ୍ଲକରେ ନଳକୂପ ପାଇପ ନ ଥିବା ଯୋଗୁଁ କାମ ହୋଇପାରିନି  କିନ୍ତୁ ୩/୪ ଦିନ ମଧ୍ୟରେ ଠିକ କରିବୁ ବୋଲି କହିଛନ୍ତି । ଏପଟେ ଦାରିଙ୍ଗବାଡ଼ି ଗ୍ରାମବିକାଶ ଅନୁଷ୍ଠାନର NGO ଯୁବ ସମାଜ ସେବକ ଅକ୍ଷୟ ପରିଛା ଓ ଉକ୍ତ ଗାଁର ସ୍ଥାନୀୟ ୱାର୍ଡ ମେମ୍ବର – ଆମସ ପ୍ରଧାନ, ଗ୍ରାମ୍ୟ ସଭାପତି – ହେମନ୍ତ ପ୍ରଧାନ, ଉପ ଗ୍ରାମ୍ୟ ସଭାପତି – ଲିଙ୍ଗରାଜ ଦିଗାଳ ଓ ମାଜୁଙ୍ଗା ପ୍ରଧାନ, ଦିଲ୍ଲୀପ ପ୍ରଧାନ, ପିଲାତ ପ୍ରଧାନ, ରାଧିକା ପ୍ରଧାନ ପୁରସ୍ତମ ପ୍ରଧାନ ସମେତ ସମସ୍ତ ଗାଁ ଲୋକ ଉକ୍ତ ଗାଁକୁ ଗୋଟିଏ ସୋଲାର ପ୍ରକଳ୍ପ ଓ ପକା ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି । ଯଦି ଏହି ସମସ୍ୟାକୁ ତୁରନ୍ତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ଏବଂ ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି  ।