ରା.ଉଦୟଗିରି (ଆକାଶ ଦାସ): ଜୀବନ ଗୋଟେ ପାଣି ଫୋଟକା ଭଳି l ମୃତ୍ୟୁ କେମିତି ଓ କେତେବେଳେ ଯେ ଆସିବ କେହି ଆକଳନ କରିପାରିବେ ନାହିଁ l ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ l ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା l ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଠାରେ l ଘଟଣା ପ୍ରକାରେ ରାମଗିରି ଗ୍ରାମର ପାତ୍ରସାହିର ସ୍ବର୍ଗତ ବାବୁଲା ପାଇକଙ୍କ ପୁଅ ସୁମନ ପାଇକ(କାଳିଆ) ବୟସ ୧୯ ବର୍ଷ ଆଜି ସକାଳ ୧୧ ଘଣ୍ଟା ସମୟରେ ୫ ଜଣ ସାଙ୍ଗ ହୋଇ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିବା ସମୟରେ ବାଟ ମଙ୍ଗଳା ମନ୍ଦିର ଛକ ରାସ୍ତା ପାର୍ଶ୍ୱରେ ଥିବା ବିରାଟ କାୟ ଶୁଖିଲା ଆମ୍ବ ଗଛର ଏକ ଗଣ୍ଡି ପୁଆ ସହ ସେମାନଙ୍କ ଉପରେ ପଡିଥିଲା l ଯାହା ଫଳରେ ସୁମନର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବୋହିଥିଲା ଏବଂ ଅନ୍ୟ ମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା l ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସେମାନେ ମଧ୍ୟରୁ ଜଣେ ମୋଟର ସାଇକେଲ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ l ଡାକ୍ତର ତାପସ ରଞ୍ଜନ ପଣ୍ଡା ସୁମନର ମୁଣ୍ଡରେ ଗଭୀର ଆଘାତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖି ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l ହେଲେ ଅତି ଦୁଃଖର ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପୂର୍ବରୁ ସୁମନର ପ୍ରାଣବାୟୁ ଉଡିଯାଇଥିଲା l ପିଲାଟି ଦିନରୁ ବାପାକୁ ହରେଇ ଥିଲା l ମାଆ ଅନ୍ୟତ୍ର ବିବାହ କରି ଚାଲିଗଲା l ମାଉସି ପାଖରେ ରହି ଗେଲ ବସରରେ ବଢିଥିଲା ମୃତ ଯୁବକ l ଦିନମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଚଲେଇବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁମନର ସବୁ ଅଭିଳାଷ ପୂରଣ କରୁଥିଲେ l ସୁମନର ମୃତ୍ୟୁ ଖବର ଶୁଣୀ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଘଟଣାକୁ ନେଇ ପାତ୍ରସାହି ବାସି ଥାନା ଅଧିକାରୀ ଡି.ଗଜପତି ଦୋରାଙ୍କ ସହ ଯୋଗାଯୋଗ କରି ଏ ନେଇ ରାମଗିରି ଥାନାରେ ୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏ ଏସ ଆଇ କେ. ଶଙ୍କର ତଦନ୍ତ କରଛନ୍ତି ।