ଦାସିଂବାଡିରେ ନେଟୱର୍କ ସମସ୍ୟା ସ୍ଥାୟୀ ସମାଧାନ ଦାବୀରେ ରାଜ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା ଓ ପୁରୁଷ , ୬ଘଣ୍ଟା ରାସ୍ତା ଜାମ….

ଦାରିଙ୍ଗବାଡି ( ଆଶୋକ ସିଂ): କନ୍ଧମାଳ  ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାସିଂବାଡି ପଞ୍ଚାୟତରେ ଦୀର୍ଘଦିନ ହେଲା ବିଏସଏନଏଲର ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି । ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆ ଯାଉ ନାହିଁ । ଏଠାରେ bsnl ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । Bsnl ସଂସ୍ଥା ପକ୍ଷରୁ ସ୍ଥାୟୀ ଇଣ୍ଟର୍ନେଟ୍ ସେବା ଯୋଗାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ମାସ ମାସ ଧରି  ଇଣ୍ଟର୍ନେଟ୍ ସେବା ପାଇ ବାରୁ  ସାଧାରଣ ଜନତା ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଏଣୁ ବାଧ୍ୟ ହୋଇ ମଙ୍ଗଳ ବାର ଦିନ ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି ଶତାଧିକ ମହିଳା ପୁରୁଷ । ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ସରକାର ଯେଉଁ ପର୍ଯ୍ୟନ୍ତ ନେଟୱାର୍କ ସମସ୍ୟା ଦୂର କରି ନାହାନ୍ତି ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଥିବା ବେଳେ ଦାରିଙ୍ଗବାଡି ତହସିଲଦାର ଫାଲଗୁନୀ କୁମାର ଓ ଦାରିଙ୍ଗବାଡି ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ  ଏବଂ ୨ଦିନ ମଧ୍ୟରେ ଇଣ୍ଟର୍ନେଟ୍ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣା ପଡ଼ିଛି । ପ୍ରାୟ ୬ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣା ସୁଚନା ମିଳିଛି । ପ୍ରକାଶ ଯୋଗ୍ୟ ଯେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ bsnlର ନୂତନ କେବୁଲ ସଂଯୋଗ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି l ଏକାଧିକ ସ୍ଥାନରେ କେବୁଲ ଗୁଡ଼ିକ ବାହାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣ ଦାବୀ କରିଛନ୍ତି ।