ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ଶନିବାର ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରଯାଇଛି । ଏହି ଅବସରରେ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଶତାଧିକ ଆଦିବାସୀ ବଡ଼ଶଙ୍ଖ ଠାରେ ଏକତ୍ରିତ ହୋଇ ପାରମ୍ପାରିକ ବାଦ୍ୟର ତାଳେ ତାଳେ ସେଠାରୁ ଏକ ରାଲିରେ ବାହାରି ବାଜାର ପରିକ୍ରମା କରିଥିଲେ । ଏହି ରାଲି ସମୟରେ ଆଦିବାସୀମାନଙ୍କ ବିଭିନ୍ନ ମୌଳିକ ଦାବୀକୁ ନେଇ ନାରାବାଜି ଦେଇଥିଲେ l ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କାର୍ଯ୍ୟକାରୀ କରିବା, ଗ୍ରାମସଭାର ଅନୁମୋଦନ ବିନା ବିଭିନ୍ନ କର୍ପୋରେଟ, କମ୍ପାନୀ, ପୁଞ୍ଜିପତିମାନଙ୍କ ହାତକୁ ଜଙ୍ଗଲ ଜମି ଟେକି ଦେବା, ଆଦିବାସୀଙ୍କ ଉନ୍ନୟନ ପାଇଁ ଆସୁଥିବା ସରକାରୀ ଅର୍ଥକୁ ସଠିକ ଭାବେ ବିନିଯୋଗ କରିବା । ଆଦିବାସୀମାନଙ୍କୁ ମିଛ ମକଦ୍ଦମାରେ ଫାସେଇବା ଏବଂ ସେମାନଙ୍କ ହକ ଛଡ଼େଇ ନେବା, ଆଦି ବିଭିନ୍ନ ନାରାବାଜି ଦେଇ ରାଲି ଓ ଶୋଭାଯାତ୍ରା କରିଥିଲେ । ପରେ ସେମାନେ ସ୍ଥାନୀୟ ହାଟ ପଡ଼ିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଟାମା ପଞ୍ଚାୟତର ପୂର୍ବତନ ସରପଞ୍ଚ ହାଡ଼ିଆ କନ୍ଧ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ଲେଙ୍କା ପ୍ରଧାନ, ରାଜୀବ ମାଝୀ, ଧିରେନ୍ଦ୍ର ପଡ୍ରା, ଆଇନଜୀବି ଇନ୍ଦ୍ରମଣୀ ପ୍ରଧାନ, ସୁରେଶ ପ୍ରଧାନ ପ୍ରମୁଖ ମଞ୍ଚାସିନ କରିଥିଲେ । ଉକ୍ତ ବୈଠକରେ ଆଦିବାସୀମାନଙ୍କ ଅଧିକାର କଣ ସେମାନଙ୍କ ପ୍ରତି ସରକାରଙ୍କ ଅବହେଳା ଓ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେବା ବିଷୟରେ ବକ୍ତାମାନେ ନିଜର ଅଭିଭାଷଣ ଦେଇଥିଲେ ଏବଂ ଆଦିବାସୀମାନଙ୍କ ପରମ ପୂଜ୍ୟ ତଥା ସଂଗ୍ରାମୀ ରେଣ୍ଡ ମାଝି, ଲକ୍ଷ୍ମଣ ନାୟକ, ଧରଣୀଧର ନାୟକ, ବର୍ଷା ମୁଣ୍ଡା, ସିଦ୍ଧୁ, କାହୁଁ ଭଳୀ ସଂଗ୍ରାମୀ ନେତାଙ୍କ ବଳିଦାନ ସମ୍ପର୍କରେ ଆଲୋକ ପାତ କରାଯାଇ ଥିଲା ଏବଂ ସରକାରଙ୍କ ଅଦିବାସୀ ମାରଣ ନୀତି ବିରୋଧରେ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, କୁଇକୁଳ ସମାଜ, ବନବାସୀ ଚାଷୀ ମୂଲିଆ ସୁରକ୍ଷା ସମିତି କନ୍ଧମାଳ ପକ୍ଷରୁ ୭ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପୋଷ୍ଟ ଅଫିସ୍ ଜରୀଆରେ ପ୍ରେରଣ କରାଗଲା । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବଳଭଦ୍ର ମଳିକ, କପିଳାସ ମଳିକ, ଗୋବିନ୍ଦ ମଲିକ, କୃଷ୍ଣ ମଲିକ ପ୍ରମୁଖ ସାମିଲ ହୋଇଥିବା ବେଳେ ଥାନା ଅଧିକାରୀ ବିଜୟ କୁମାର ହାଇବୂରୁଙ୍କ ନିର୍ଦ୍ଧେଶରେ ଏସଆଇ ଶଙ୍କର ୱାର୍ଡକା ଓ ସୁରକ୍ଷା କର୍ମୀ ମୁତୟନ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।