ଛେଳିଗଡ ଜଳ ପ୍ରକଳ୍ପ ବିସ୍ଥାପିତ ଓ ପ୍ରଶାସନର ବାଦ ବିବାଦର ଅନ୍ତ ଘଟିବ କେବେ ?

ରା ଉଦୟଗିରି(ଆକାଶ ଦାସ): ଦୀର୍ଘବର୍ଷ ପୂର୍ବରୁ ଆରମ୍ଭ ହୋଇ ଆଜି ଯାଏ ଶେଷ ହେବାର ନାମ ନେଉନି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଜଳ ପ୍ରକଳ୍ପ । କେବେ ବିସ୍ଥାପିତଙ୍କ ବିରୋଧରେ ପ୍ରକଳ୍ପ କାର୍ଯ୍ୟ ବାଧା ପାପ୍ତ ତ ଆଉ କେବେ ବିଭାଗୀୟ ଅଧୀକାରୀଙ୍କ ମନମୁଖୀ କାର୍ଯ୍ୟକଳାକୁ ବିରୋଧ କରି ରାସ୍ତାରୋକ ।  କୋଟିକୋଟି ବିନିମୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଲାଗି ରାଜ୍ୟ ସରକାର ମଧ୍ୟ ଖାମଖିଆଲି ନୀତିରେ ଚଲେଇଥିବା ପରି ଅନୁମାନ ହେଉଛି । କାରଣ ଜିଲ୍ଲାକୁ ଆସୁଥିବା ଜିଲ୍ଲାପାଳମାନଙ୍କ ଘନ ଘନ ପରିଦର୍ଶନରେ ମଧ୍ୟ କିଛି ଫଳ ମିଳୁ ନଥିବା ପରି ଜଣାପଡୁଛି । ଅନେକ ଥର ବିସ୍ଥାପିତ କମିଟି ସହ ଆଲୋଚନା, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସବୁ ପ୍ରହଶନ ପରି ଅନୁମାନ ହେଉଛି । କେବେ ବିସ୍ଥାପିତ କ୍ଷତି ପୂରଣ ନ ପାଇବା ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀ ସହାୟତା ଦେଇ ସାରିଥିବା କହୁଛନ୍ତି । ତେବେ କେତେକ ବିସ୍ଥିପିତଙ୍କ କହିବା ଅନୁସାରେ ସରକାର ଚିହ୍ନିତ ବିସ୍ଥାପିତଙ୍କ ଘର ପଟା ନେଇ କିଛି କିଛି ଆର୍ଥିକ ସହାୟତା ଦେଇଛନ୍ତି ସତ କିନ୍ତୁ ସ୍ଥାୟୀ ଥଇଥାନ ଲାଗି ଭୂମିହରାଙ୍କୁ କୌଣସି  ଜମିପଟ୍ଟା କିମ୍ବା ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ନ ଦେବା ହିଁ ବିବାଦର ମୂଖ୍ୟ କାରଣ । ଏଇ ପରି ପେକ୍ଷୀରେ ଆଜି ଛେଳିଗଡସ୍ଥିତ ପଞ୍ଚାୟତ ସଭାଗୃହରେ ଅଞ୍ଚଳର ବୁଦ୍ଧିଜୀବୀ, ସ୍ବେଛ୍ଛାସେବୀ, ସ୍ଥାନୀୟ ବିଧାୟକ, ଜିଲ୍ଲାପରିଷଦ, ବ୍ଲକ ଉପାଧ୍ୟକ୍ଷ୍ୟା, ସରପଞ୍ଚ , ସମିତିସଭ୍ୟ, ଓ୍ବାର୍ଡ ମେମ୍ବର ଗଣ ଓ ଶତାଧିକ ବିସ୍ଥାପିତ ଓ ଆଂଶିକ ବୁଡିଅଞ୍ଚଳର ଜନ ସାଧାରଣଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଡିଅଞ୍ଚଳ କମିଟିର ସଭାପତି ଚୈତନ୍ୟ ସାହୁଙ୍କ କହିବା ଅନୁସାରେ କିଛିଦିନ ପୂର୍ବରୁ ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଦାୟୀତ୍ବ ଗ୍ରହଣ ପରେ ଏଇ ବୁଡିଅଞ୍ଚଳ ପରିଦର୍ଶନ କରିଥିଲେ ସତ ହେଲେ ବିସ୍ଥାପିତଙ୍କ ସହ କୌଣସି ଆଲୋଚନା ନ କରି ଫେରିଯାଇଥିବାରୁ ଭବିଷ୍ୟତର ଆଶଙ୍କା ଅନୁମାନ କରି ଏହି ବୈଠକ ହେବା କଥା, ବିସ୍ଥାପିତଙ୍କୁ ସମ୍ପୂର୍ଣ୍ଣ କ୍ଷତି ପୂରଣ ନ ଦେଇ ସରକାର ଏ ପ୍ରକଳ୍ପକୁ ଆଗକୁ ନେବାକୁ ଚେଷ୍ଟା କଲେ, ବୁଡିଅଞ୍ଚଳ କମିଟି  ସମ୍ପୂର୍ଣ୍ଣ ବିରୋଧ କରିବ, ଆନ୍ଦୋଳନ କରିବ ଓ ଦରକାର ହେଲେ ରକ୍ତର ନଦୀ ବୋହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଓ ସରକାର ଏହାର ଶୀଘ୍ର ସଠିକ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ସହାୟତା କରିବା ଲାଗି ଅନୁରୋଧ ମଧ୍ୟ କରିଛନ୍ତି ବିସ୍ଥାପିତ ।