ଭଞ୍ଜନଗର(ନିଲୁ ବିଷୋୟୀ): ତାମିଲନାଡୁ ଠାରେ ଭଞ୍ଜନଗର ଅଞ୍ଚଳର ଫସି ରହିଥିବା ୯ ଜଣ ଶ୍ରମିକ ଘରକୁ ଫେରିଛନ୍ତି । ଭଞ୍ଜନଗର ଏନ୍ଏସିର ୧୦ ନମ୍ବର ୱାର୍ଡରେ ରହୁଥିବା ୯ ଜଣ ବ୍ୟକ୍ତି ସେଠାରେ ଫସି ରହିଥିବା ଖବର ସ୍ଥାନୀୟ କାଉନସିଲରଙ୍କ ସହାୟତାରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଗତ ମାସ ୨୧ ତାରିଖ ଦିନ ପ୍ରଶାସନର ଦୃଷ୍ଟି ଆର୍କଷଣ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ସହାୟତାରେ ସେମାନେ ଭଞ୍ଜନଗର ସ୍ଥିତ ନିଜ ଘରେ ପହଞ୍ଚିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ହେଲେ ୧୦ ନମ୍ବର ୱାର୍ଡରେ ରହୁଥିବା ଗୀତା ନାୟକ, ମେଘା ନାୟକ, ସଙ୍ଗିତା ନାୟକ, ପୂଜା ନାୟକ, ଅରୁଣ ନାୟକ, କାଳୁ ରଞ୍ଜନ ନାୟକ, ମିନତୀ ନାୟକ, ହରି ଶଙ୍କର ନାୟକ । ସେମାନେ ଆସିକା କୋଟିନଡା ଅଞ୍ଚଳର ଜଣେ ମହିଳାଙ୍କ ପ୍ରଲୋଭନରେ ତାମିଲନାଡୁର ନିଲକୋଟାଇ ଠାରେ ଥିବା ଏକ ଘରୋଇ ବିସ୍କୁଟ କମ୍ପାନିରେ ଚାକିରୀ କରିବାକୁ ଯାଇଥିଲେ । ଗତ ଏପ୍ରିଲ ମାସ ୨୭ ତାରିଖରୁ ଏମାନେ ସେଠାକୁ ଯାଇ କାମ କରୁଥିଲେ । କିନ୍ତୁ ସଂପୃକ୍ତ କମ୍ପାନି ପକ୍ଷରୁ କୌଣସି ପାରିଶ୍ରମିକ ଦିଆଯାଉନଥିବା ବୋଳେ ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାରବର୍ଗ ସ୍ଥାନୀୟ କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଜଣାଇବା ପରେ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ସହାୟତାରେ ଶ୍ରମିକମାନଙ୍କୁ ସେଠାରୁ ଉଦ୍ଧାର କରି ଭିଟାମାଟିକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏହାପରେ ଘଟଣାକୁ ଗୁରୁତ୍ବ ନେଇ ପ୍ରଶାସନ ପକ୍ଷରୁ ଶ୍ରମ ବିଭାଗ ପକ୍ଷରୁ ସେଠାରୁ ଶ୍ରମିକମାନେ କିଭଳି ଉଦ୍ଧାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କମ୍ପାନି ଠାରୁ ଏମାନଙ୍କୁ ନେଇଥିବା ମହିଳା ପ୍ରାୟ ଏକ ଲକ୍ଷ ଟଙ୍କା ନେଇ ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଥିଲା । ପରେ କମ୍ପାନି ପକ୍ଷରୁ କେବଳ ଗାଡି ଖର୍ଚ୍ଚ ଦେଇ ପଠାଯାଇଥିବା ବେଳେ କୌଣସି ପାରିଶ୍ରମିକ ମିଳିନଥିବା ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଏଥିସହ ଉକ୍ତ ମହିଳାଙ୍କ ନାମରେ ସେଠାରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ସହକାରୀ ଶ୍ରମ ଅଧିକାରୀ ସୁରଥ ସ୍ବାଇଁ ପ୍ରକାଶ କରିଛନ୍ତି ।