ବଡ଼ଶଙ୍ଖ ନଦୀକୂଳ ରାସ୍ତା ବିପଦରେ, ଅଧିକ ବର୍ଷା ହେଲେ କିରାମାହା ଠାରୁ ଗଡମା ପର୍ୟ୍ୟନ୍ତ ୧୦ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ସମ୍ଭାବନା….

ଦାରିଙ୍ଗବାଡ଼ି(ଆଶୋକ ସିଂ): ଅଧିକ ବର୍ଷା ହେଲେ କିଛି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବାର ସମ୍ଭାବନା ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ନିକଟ ବଡ଼ଶଙ୍ଖ ନଦୀ ତଟ ଦେଇ ଯାଇଥିବା କିରାମାହା ରାସ୍ତାରେ । ପ୍ରକାଶ ଯୋଗ୍ୟ ଯେ ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା  ପୂର୍ତ୍ତ ବିଭାଗ ରାସ୍ତାର ବଡ଼ଶଙ୍ଖ ଠାରୁ କିରାମାହା ଦେଇ ଗଡମା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ସଂଯୋଗ ହୋଇଛି । ଏହି ରସ୍ତା ନିର୍ମାଣ ସମୟରେ ନଦୀ ତଡରେ ସୁଦୃଢ଼ ଭାବେ ଗାର୍ଡ ୱାଲ୍ ନିର୍ମାଣ କରିବା ସହ ଉକ୍ତ ଛକରେ ପୂର୍ତ୍ତ ବିଭାଗ ରାସ୍ତା ସହ ସମାନ୍ତରାଳ ଭାବେ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ଦାବୀ ରହିଥିଲା । ତେବେ ସଂପୃକ୍ତ ଠିକାଦାରଙ୍କ ଖାମଖିଆଲି ମନୋଭାବ ଓ ବିଭାଗୀୟ ଅଧିକାରୀମାନଙ୍କ ଦୂର ଦୃଷ୍ଟିର ଅଭାବ ହେତୁ ଉକ୍ତ କାର୍ଯ୍ୟକୁ କାମଚଳା ଭାବେ ଛାଡ଼ି ଦେଇଥିଲେ । ଉକ୍ତ ନଦୀର ରାସ୍ତା ତଟରେ ପଥର ୱାଲ୍ ଦିଆ ଯାଇଥିବା ବେଳେ କେତେକ ବଡ଼ ବଡ ବୃକ୍ଷମାନ ରହିଅଛି । ବୃକ୍ଷ ଥିବା ସ୍ଥାନରେ ସଠିକ୍ 6ଭାବେ ପଥର ୱାଲ୍ କରାଯାଇ ନାହିଁ l ଯାହାରି ଫଳରେ ବର୍ଷା ହେଲେ କିମ୍ବା ନଦୀରେ ପାଣି ବଢ଼ିଲେ ଧୀରେ ଧୀରେ କୁଳରୁ ମାଟି ଅତଡ଼ା ସହ ପଥର ୱାଲ୍ ମଧ୍ୟ ଭୂଷୁଡ଼ିବାରେ ଲାଗିଛି । ବର୍ତ୍ତମାନ ସେହି ରାସ୍ତାର ଏକାଧିକ ସ୍ଥାନରେ ପଥର ୱାଲ୍ ଭୁଷୁଡି ଗର୍ତ୍ତ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳୁଛି । ସେହି ରାସ୍ତା ଦେଇ ଶତାଧିକ ଯାନବାହାନ ଚଳାଚଳ କରୁଥିବା ବେଳେ ଭାରି ଯାନ ଯିବା ଆସିବାରେ ବିପଦ ସୃଷ୍ଠି କରୁଛି । ଧାରାବାହିକ ଭାବେ ଭାରୀ ବର୍ଷା ହେଲେ କିରାମାହା ଠାରୁ ଗଡମା ମଧ୍ୟରେ ରହିଥିବା ପ୍ରାୟ ୧୦ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ଆଶଙ୍କା କରୁଛନ୍ତି ଅଞ୍ଚଳ ବାସୀ । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରିବ ନାହିଁ ବୋଲି ଅଞ୍ଚଳ ବାସୀ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ଜରୁରୀ କାଳୀନ ଭିତ୍ତିରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଉକ୍ତ ରାସ୍ତାର ମରାମତି କରିବାକୁ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରନ୍ ନାୟକ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।