ବ୍ରାହ୍ମଣୀଗାଁ ନେଟୱର୍କକୁ ଭରଷା ନାହିଁ, ସେକ୍ଟର ମିଟିଂ ପାଇଁ ତିନି କିମି ଚାଲିଲେ ଅଙ୍ଗନୱାଡ଼ି କର୍ମୀ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଥିବା ବିଏସଏନଏଲ ନେଟୱର୍କକୁ ଅଞ୍ଚଳ ବାସୀ ଭରଷା କରି ପାରୁ ନାହାଁନ୍ତି l ସରକାରୀ, ବେସରକାରୀ କାର୍ଯ୍ୟରେ ତାହା ବାଧା ସୃଷ୍ଟି କରୁଛି l ସଠିକ ସମୟରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିବାରେ ସମସ୍ୟା ଭୋଗୁଛନ୍ତି ତଳ ଶ୍ରେଣୀର କର୍ମଚାରୀ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମେରାମାହା ଛକରେ । ଆଜି ଅଚାନକ ମେରାମାହା ଛକରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଙ୍ଗନୱାଡ଼ି କର୍ମୀମାନେ ମେରାମାହା ସେଣ୍ଟର୍ ଠାରୁ ଛକ ପର୍ଯ୍ୟନ୍ତ ପ୍ରାୟ ତିନି କିମି ଚାଲି ଚାଲି ଆସୁଥିବ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । କର୍ମୀମାନଙ୍କୁ ପଚାରି ବୁଝିବାରୁ ଜଣାଗଲା ଯେ ବ୍ରାହ୍ମଣୀଗାଁରେ ଦୀର୍ଘଦିନ ହେଲା ନେଟୱର୍କ ସମସ୍ୟା ଲାଗି ରହିଛି । ବର୍ତ୍ତମାନ ସମସ୍ତ ତଥ୍ୟ ଅନଲାଇନ୍ ଦାଖଲ କରିବାକୁ ପଡୁଛି । ବିନା ନେଟୱର୍କରେ କୌଣସି ତଥ୍ୟ ଅପଲୋଡ଼ ହୋଇ ପାରୁନାହିଁ l ଗର୍ଭବତୀ ମହିଳା, କିଶୋରୀ ବାଳିକା ତଥା ଅଙ୍ଗନୱାଡ଼ି ପିଲାଙ୍କ ସମସ୍ତ ତଥ୍ୟ ତାଙ୍କ ମୁଖ ଆଧାର ଜନିତ ତଥ୍ୟ ଅନଲାଇନ୍ ଅପଲୋଡ଼ କରିବାକୁ ପଢୁଛି l ଯାହାକି ହାଇ ସ୍ପିଡ ନେଟୱର୍କ ବିନା ସମ୍ଭବ ନୁହେଁ । ଏଣୁ ମେରାମାହାରେ ଜିଓ ନେଟର ସୁବିଧା ଥିବାରୁ ଆଜି ବ୍ରାହ୍ମଣୀଗାଁ ସେକ୍ଟରର ସୁପର ଭାଇଜର ବାସନ୍ତୀ ଜେନାଙ୍କ ନିର୍ଦ୍ଧେଶରେ ପ୍ରାୟ ୨୯ଟି ସେଣ୍ଟରର ଅଙ୍ଗନୱାଡ଼ି କର୍ମୀମାନେ ମେରାମାହା ସେଣ୍ଟରରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ବୈଠକ ସରିବା ପରେ ଗାଡ଼ି ନଥିବାରୁ ବାଧ୍ୟ ହୋଇ ୩କିମି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଛକ ପର୍ଯ୍ୟନ୍ତ ଆସିଥିବା ଦେଖିବାକୁ ମିଳିଛି । ଏଣୁ ଏହି ଅଞ୍ଚଳର ମୁଖ୍ୟ କାର୍ଯ୍ୟାଳୟ ବ୍ରାହ୍ମଣୀଗାଁରେ  ଉତ୍ତମ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଅଙ୍ଗନୱାଡ଼ି କର୍ମୀମାନଙ୍କ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।