ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି । ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ ଗତ ୨୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ କେସ୍ ନମ୍ବର ୨୮୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଅପହରଣ ଅଭିଯୋଗରେ ଭରତପୁର ଥାନା ଇଲାକାର ଅଭିଯୁକ୍ତ ମନୋଜ କୁମାର ସାହୁକୁ କୋର୍ଟ ଚାଲାଣ କରିବା ସହ ଅପହୃତ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ତାରସିଂ ଥାନା ଅଧିନ ତାରସିଂ ଗ୍ରାମର ଯୁବରାଜ ଭୂବନେଶ୍ବରରେ ମନୋଜଙ୍କ ମାଲିକାନାରେ ରହିଥିବା ଏକ ସଂସ୍ଥାରେ କାମ କରୁଥିଲେ । ସେ କିଛି ଦିନ ତଳେ ଗାଁକୁ ଆସିଥିବା ବେଳେ କାମରେ ଯୋଗଦେବା ପାଇଁ ଫୋନ ଯୋଗେ ମାଲିକ ଡାକିଥିଲେ । କାମକୁ ନଆସିଲେ ତାକୁ ଅପହରଣ କରିନେବାକୁ ଧମକ ମଧ୍ୟ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହାପରେ ୨୬ ତାରିଖ ଦିନ ଯୁବରାଜ ଅନ୍ୟଜଣେ ଗ୍ରାମବାସୀଙ୍କ ସହ ରାତିରେ ଗାଁ ମୁହଁରେ ଠିଆ ହୋଇଥିବା ସମୟରେ ୨ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଉଭୟଙ୍କୁ ସେଠାରୁ ଅପହରଣ କରିନେଇଥିଲେ । ପରେ ସେଠାରୁ କିଛି ଦୂର ଗରୁଡୁପଥର ଠାରେ ସେହି ବ୍ୟକ୍ତିଙ୍କୁ ଛାଡିଦେଇ ଯୁବରାଜକୁ ଏକ କାରରେ ନେଇଯାଇଥିଲେ । ଆଉ ଏସମ୍ପର୍କରେ କାହକୁ କହିଲେ ସେମାନେ ଯୁବରାଜକୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ ଯୁବରାଜଙ୍କ ବଡଭାଇ ମନୋଜ ସହ ଫୋନରେ କଥା ହୋଇଥିବା ବେଳେ ସେ ଦେଢଲକ୍ଷ ଟଙ୍କା ଦେବାକୁ ଦାବି କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୁଲିସ୍ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡିଛି ।