ଗଜପତିର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଶ୍ରୀମତୀ ମଧୁମିତା….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା, ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଭା.ପ୍ର.ସେଙ୍କୁ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି । ଆଜି ନୂତନ ଜିଲ୍ଲାପାଳ ପୂର୍ବାହ୍ନ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ ସମାୟାନୁ ବର୍ତ୍ତିତା ଅବଲମ୍ବନ ସକାଶେ ଉପସ୍ଥିତ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି  ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ଏହାର ସଫଳତାର ସହ ପହଞ୍ଚାଇବା ଓ ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ  ନୂତନ ଜିଲ୍ଲାପାଳ ଗୁରୁତ୍ବରୋପ କରିଥିଲେ । ସେହିପରି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଗୁରୁତ୍ଵ ଦେବା ସହିତ କାର୍ଯ୍ଯକାରି ହେଉଥିବା ବିଭିନ୍ନ କାମକୁ ତୁରନ୍ତ ଶେଷ କରାଯିବ ଓ ଜିଲ୍ଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା କାର୍ଯ୍ୟ ହେବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଶ୍ରୀମତୀ ମଧୁମିତା ପୂର୍ବରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ । ଜିଲ୍ଲା କାର୍ଯ୍ୟାଳୟ ଠାରେ  ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଆଲ୍ଲୀ ସମେତ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ ।