ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦୁର୍ଗମ ଗଦାପୁର ପଞ୍ଚାୟତରେ ବିଏସଏନଏଲର ନେଟୱର୍କ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଠି ଟାୱାର ଅଛି ୱାଇ -ଫାଇ ମଧ୍ୟ ଚାଲିଛି କିନ୍ତୁ ମୋବାଇଲରେ ନେଟୱର୍କ ସୋ କରୁ ନାହିଁ, ଜରୁରୀ କାଳୀନ ପରିସ୍ଥିତିରେ ଫୋନ କଲ ସମ୍ଭବ ହେଉନାହିଁ । ଦୁଇ କିମି ଜଙ୍ଗଲ ରାସ୍ତାକୁ ଯାଇ ଜିଓ ନେଟ ସର୍ଚ୍ଚ କରି ଫୋନ କରିବାକୁ ପଡ଼ୁଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ମୋବାଇଲ ନେଟ କାମ କରୁନଥିବାରୁ ଆଜକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ବିଏସଏନଏଲର ମୋବାଇଲ ନେଟୱର୍କ ସେବା ପାଇବାରୁ ବଞ୍ଚିତ ଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀ କାଳୀନ ପରିସ୍ଥିତିରେ ବିଶେଷ କରି ଗର୍ଭବତୀ ମହିଳା ବା କୌଣସି ଦୁର୍ଘଟଣା ଘଟିଲେ ସୂଚନା ଦେବା କିମ୍ବା ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସମ୍ଭବ ହେଉ ନଥିବା ବେଳେ ଓଟିପି ମେସେଜ ନ ଆସୁ ନ ଥିବାରୁ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ହୋଇପାରୁ ନାହିଁ, ବ୍ୟାଙ୍କିଙ୍ଗ ସେବା ମଧ୍ୟ ପ୍ରଭାବିତ ହେଉଥିବା ଜଣାପଡିଛି । ଏ ନେଇ ଗ୍ରାହକମାନେ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଫୋନ ଜରୀଆରେ ଜଣାଇଥିଲେ ମଧ୍ୟ ଏକ ମାସ ବିତିଗଲାଣି କୌଣସି ସମାଧାନ ହୋଇ ପାରୁ ନାହିଁ l ଏଣୁ ଆଗମୀ ୫ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ ।