ଜମିଜମାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାମୁହିଁ ଘଟଣା, ବ୍ରାହ୍ମଣୀଗାଁ ଥାନାରେ ବସିଲା ସମାଧାନ ବୈଠକ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମିଞ୍ଜାପଙ୍କା ଓ ରାମ୍ବେଲି ଗ୍ରାମ ବାସୀଙ୍କ ମଧ୍ୟରେ ଜମି ଜମାକୁ କେନ୍ଦ୍ର କରି ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ହାତାହାତି ହେବା ଭଳି ପରିସ୍ଥିତି ଉପୁଜି ଥିଲା l ଉକ୍ତ ଘଟଣାରେ ତିନିଜଣ ଯୁବକ ଆହତ ହୋଇଥିବା ସୂଚନା ରହିଛି l ଆହତମାନେ ହେଲେ ମିଞ୍ଜାପଙ୍କା ଗ୍ରାମର ରିଣ୍ଟୁ ସିଂ, ସଦାନନ୍ଦ ବଳିଆର ସିଂ ଓ ହେମନ୍ତ ଦିଗାଲ । ଖବର ପାଇ ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ନେତୃତ୍ୱରେ ଏସଆଇ ରମାକାନ୍ତ ସେଠୀ ଓ ପୁଲିସ ବାହିନୀ, ସୁରକ୍ଷା କର୍ମୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଆହତମାନଙ୍କୁ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ । ଉଭୟ ପକ୍ଷଙ୍କୁ ନେଇ ବ୍ରାହ୍ମଣୀଗାଁ ଥାନାରେ ଶାନ୍ତି ସମାଧାନ ପାଇଁ ଡକାଇ ଥିଲେ । ଉଭୟ ପକ୍ଷରୁ ୧୦ଜଣ ଲେଖାଏଁ ପ୍ରତିନିଧିତ୍ୱ କରିଥିଲେ ।  ତହସିଲଦାର ଫାଲଗୁନି କୁମାର ସାହୁ ଅଧ୍ୟକ୍ଷତା ଆୟୋଜିତ ବୈଠକରେ କିରାଣୀ ସତ୍ୟବାନ୍ ତ୍ରିପାଠୀ, ଆରଆଇ ଦିଲ୍ଲୀପ କୁମାର ସାହୁ, ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଓ ଏସଆଇ ରମାକାନ୍ତ ସେଠୀଙ୍କ ଉପସ୍ଥିତି ଥିଲେ l ଉଭୟ ପକ୍ଷଙ୍କ ବୟାନ ଶୁଣିବା ପରେ ମିଞ୍ଜାପଙ୍କା ବାସୀଙ୍କୁ ତିନି ମାସ ମଧ୍ୟରେ ଆରଡିସିଙ୍କ ଠାରୁ ରହିତାଦେଶ ଆଣିବାକୁ ନିର୍ଦ୍ଧେଶ ଦେବା ସହ ରାମ୍ବେଲି ବାସୀ ଭୁଲ ବଶତଃ ଜିତେନ୍ଦ୍ର ସଭା ସୁନ୍ଦରଙ୍କ ଜାଗା ଉପରେ କରିଥିବା ଘରକୁ ନିଜେ ଉଠାଇ ନେବେ ଏବଂ ତିନି ମାସ ପର୍ଯ୍ୟନ୍ତ ବିବାଦୀୟ ଜାଗାକୁ କେହି ଯିବେ ନାହିଁ, ତିନିମାସ ମଧ୍ୟରେ ଉପଯୁକ୍ତ ପ୍ରମାଣ ଦେଖାଇ ନ ପାରିଲେ ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ହେବେ । ଅପର ପକ୍ଷେ ରାମ୍ବେଲି ବାସୀଙ୍କୁ ସରକାର ଠାରୁ ମିଳିଥିବା ଜମି ଆଜକୁ ପ୍ରାୟ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜ ଯାଏଁ ଚିହ୍ନଟ ହୋଇ ପାରି ନାହିଁ । ବିବାଦ ଲାଗି ରହୁ ଥିବାରୁ ଜମି ଚିହ୍ନଟ ପ୍ରକ୍ରିୟା ହୋଇ ପାରୁ ନାହିଁ । ଏଣୁ ଆଜିର ବୈଠକ ପରେ ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଉଭୟ ପକ୍ଷ ଆଶା କରିଛନ୍ତି ।