ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଢ଼ିବୁ କହିଲେ ଭକ୍ତ: ସରକାର ଶୁଣିଲେନି, ଆମେ ଶୁଣିବୁ…

– ଟୋଲ ଫ୍ରି ନମ୍ବର ରହିବ, ନିଯୁକ୍ତ ହେବେ ଓକିଲ

csp

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ନାରୀ ପ୍ରତି ଦୁଷ୍କର୍ମ, ଗଣ ଦୁଷ୍କର୍ମ ହେବା ସହିତ ହତ୍ୟା ହେଉଛି । କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ତେବେ ଯେଉଁ ପୀଡିତାଙ୍କ କଥା କେହି ଶୁଣୁ ନାହାନ୍ତି, କଂଗ୍ରେସ ତାର କଥା ଶୁଣିବ । ସେଥିପାଇଁ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି । ଏହା ସହିତ ଦଶ ଜଣ ଓକିଲ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ । ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି । ସରକାର ନାରୀ ନିର୍ଯାତନା ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେନି । ସେଥିପାଇଁ ଗୋଟେ ପରେ ଗୋଟେ ଦୁଷ୍କର୍ମ ହେଉଛି । ଆଜି ଓଡିଶାରେ ନାରୀଙ୍କ ସୁରକ୍ଷା ଏତେ ବଡ଼ ପ୍ରସଙ୍ଗ ହୋଇଗଲା ଯେ ଆମେରିକାର ରାଷ୍ଟ୍ରପତିଙ୍କୁ ଓଡିଶା ରାଜ୍ୟ ନାରୀଙ୍କ ପାଇଁ ଅସୁରକ୍ଷିତ ବୋଲି କହିବାକୁ ପଡିଲା । ସୁପ୍ରିମକୋର୍ଟ ଆମେ ଖୋଦ ଲଜ୍ଜିତ ବୋଲି କହିଲେ । ଏସବୁକୁ ଦୃଷ୍ଟିରେ ରଖି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦୂର କଥା, ନିଜର ଭୁଲ ସ୍ୱୀକାର କରିବାକୁ ମଧ୍ୟ ପଛାଉଛନ୍ତି । ଏବେ ସାଧାରଣ ନାଗରିକ ଜାଗରୁକ ହେଲେ ନାରୀ ନିର୍ଯାତନା ରୋକିହେବ । ପୁଲିସକୁ ଅପରାଧ ରୋକିବାକୁ ବ୍ୟବହାର ନ କରି ନିଜ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି ସରକାର । ପୁଲିସ ମଧ୍ୟ କେବଳ ଶାସକ ଦଳକୁ ଖୁସି କରିବାରେ ମାତିଛନ୍ତି । ନିର୍ବାଚିତ ସରକାର ତାଙ୍କ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ କରି ଭକ୍ତ କହିଲେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ । ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ । ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ କରିପାରିବେ । ଏବେ ରାଜ୍ୟରେ ମହିଳାମାନେ ସଚେତନ ହୋଇଛନ୍ତି । କୌଣସି ଘଟଣା ହେବା ପରେ ଜଣାଉଛନ୍ତି । ଆଉ ଲୁଚାଉ ନାହାନ୍ତି । ବନ୍ଦ ଶାନ୍ତିପୂର୍ଣ ହୋଇଥିଲା ବୋଲି ନ୍ୟାୟାଳୟ କହିଛନ୍ତି । ସରକାର ସୁପ୍ତ ଅଛି ତେଣୁ ନାରୀ ନ୍ୟାୟର ଗୁରୁତ୍ୱ ଆଦୌ ଅନୁଭବ କରିପାରୁନି । ତେଣୁ ଆମେ ‘ଆପ’ କରିଛୁ । ‘ଆପ’ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ କରିପାରିବୁ । ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ। ମହିଳାଙ୍କ ପାଇଁ ଏହି ‘ଆପ’ ଉତ୍ସର୍ଗୀକୃତ କରାଯାଉଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ନ୍ୟାୟ ପାଇଁ ମହିଳାମାନେ ଲଢୁଛନ୍ତି । ଯେଉଁମାନେ ନ୍ୟାୟ ପାଉନାହାନ୍ତି, ସେମାନେ ‘ଆପ’ ମାଧ୍ୟମରେ ନ୍ୟାୟ ପାଇବେ । ଏବେ ପୋର୍ଟାଲ ଭାବେ ଅଛି । ପନ୍ଦର ଦିନ ପରେ ‘ଆପ’ ହୋଇପାରିବ । ସେହିପରି ଇମେଲ ବି ରହିବ ବୋଲି ସୂଚନା ଦେଇଛନ୍ତି । କଂଗ୍ରେସ ଭବନରେ ଏହା ଖୋଲିବ । ଚବିଶ ଘଣ୍ଟା ଅଭିଯୋଗ ହୋଇ ପାରିବ । ଆମେ ଉଦ୍ୟମ କରିବୁ ସମାଧାନ ପାଇଁ । ଆମେ ସରକାରରେ ନାହୁଁ । ତେଣୁ ଚାପ ସୃଷ୍ଟି କରିବୁ । ସୌମ୍ୟାଶ୍ରୀ ସରକାରର ବହୁ ଲୋକଙ୍କୁ କହିବା ପରେ ମଧ୍ୟ କେହି ଶୁଣିନଥିଲେ । ମାତ୍ର ଆମେ କେମିତି ଅଭିଯୋଗ ଉପରେ କାମ ହେବ ଚେଷ୍ଟା କରିବୁ । ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେବ ବୋଲି ଭକ୍ତ କହିଛନ୍ତି । ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ଗୀତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଜାନକୀ ମଲ୍ଲିକ, ଉର୍ବଶୀ ମିଶ୍ର, ଅନିମା ମିଞ୍ଜ, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।