ଲଗାଣ ବର୍ଷାରେ ବେହୋଲ ବ୍ରାହ୍ମଣୀ ଗାଁ ବଜାର, ରାସ୍ତା ଉପରେ କୃତ୍ରିମ ନଦୀ….

ଦାରିଙ୍ଗବାଡି(ଆଶୋକ ସିଂ): ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି l କିନ୍ତୁ ଠିକାଦାରମାନଙ୍କ ଲାଭଖୋର ଓ ଖାମଖିଆଲି ନୀତି ଯୋଗୁଁ ଜନ ସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଠାରେ । ସୂଚନା ଯୋଗ୍ୟ ଯେ ବ୍ରାହ୍ମଣୀଗାଁ ବାଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗୀୟ ରାସ୍ତାର ପ୍ରାୟ ସାଢେ଼ ତିନି କିମି ରାସ୍ତା ସମ୍ପ୍ରସାରଣ କରିବା ସହ ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କାର୍ଯ୍ୟ  ମଧ୍ୟ ପ୍ରାୟ ସରିଛି । କିନ୍ତୁ ଦୁଃଖର ବିଷୟ ସଠିକ ଭାବେ କାର୍ଯ୍ୟ ହୋଇ ନଥିବାରୁ ଏକାଧିକ ସ୍ଥାନରେ ଡ୍ରେନ ଜାମ ହୋଇ ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ରାସ୍ତା ଦବି ଯିବାର ଦେଖିବାକୁ ମିଳୁଛି । ଡ୍ରେନ ଉପରେ ପ୍ଲେଟ୍ ପକାଇବାର ବ୍ୟବସ୍ଥା ରହିଥିବା ବେଳେ ଅନେକ ସ୍ଥାନରେ ଡ୍ରେନ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳୁଛି । ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଅଧିକାଂଶ ପ୍ଲେଟ୍ ଭାଙ୍ଗିଯାଇଛି । ଡ୍ରେନ ମୁକୁଳା  ପଡ଼ିଥିବାରୁ ଅନେକ ସମୟରେ ଚାଲିଯାଉଥିବା ଲୋକେ ଡ୍ରେନରେ ପଡ଼ି ଆହତ ହୋଇଥିବା ବେଳେ ପଶୁ ଜନ୍ତୁ ଗୁଡ଼ିକ ମଧ୍ୟ ଡ୍ରେନ ରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ନଜିର ରହିଛି । ଡ୍ରେନରେ ଛାତ ପକାଇ ତାର ସେଣ୍ଟ୍ରିଂ କାଠ ବାହାର କରି ନଥିବାରୁ ଡ୍ରେନ ଜାମ ହୋଇ ବର୍ଷା ଜଳ ନିଷ୍କାସନ ହେଉ ନଥିବା ଅଭିଯୋଗ ହେଉଛି । ତରବରିଆ ଭାବେ  ଖଣ୍ଡିଆ ଖାବରା କରି ଠିକା ସଂସ୍ଥା ଏଠୁ ପ୍ରାୟ ତିନିମାସ ହେବ ଛୁ ମାରିଛି । ତେବେ ବଳକା କାମ କରିବ କିଏ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଏନେଇ ବିଭାଗୀୟ ଯନ୍ତ୍ରୀ ଜୟନ୍ତ ପତିଙ୍କୁ ପଚାରି ବାରୁ ଏ ସମ୍ପର୍କରେ ଆଗରୁ କୌଣସି ଅଭିଯୋଗ ଆସି ନଥିଲା,  ଯଦିଓ ଡ୍ରେନ ଜାମ ହେଉଛି ତୁରନ୍ତ ତାହାର ସମାଧାନ କରାଯିବ ବୋଲି କହିଛନ୍ତି । ଅପର ପକ୍ଷରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅପୂର୍ଣ୍ଣାଙ୍ଗ କାମ ସାରିବା ସହ ରାସ୍ତା ଅବରୋଧ କରି ବ୍ୟବସାୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।