ପାଟ୍ରୋଲିଂ ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ ଓ ମୋବାଇଲ ଫୋନ ଜବତ: ତିନି ଅଭିଯୁକ୍ତ ଗିରଫ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଆଉ ଏକ ସଫଳତା l ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ସୂଚନାରୁ ପ୍ରକାଶ ଯେ, ଚଳିତ ମାସ ୦୧ ତାରିଖ ସନ୍ଧ୍ୟାରେ ବାଲିଗୁଡା ପୁଲିସ ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଓ଼ ଅନ୍ୟ ପୁଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରି କ.ନୂଆଗାଁ ଅଞ୍ଚଳରେ ଏକ ପଲସର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତିଙ୍କୁ ତନଖିବା କରିଥିଲେ l ଏହି ସମୟରେ ବାଲିଗୁଡ଼ା ଥାନା ଗୁଳିମରାପଦା ସାହିର ଦିପକ କୁମାର ଦିଗାଳ ଗଞ୍ଜେଇ ଏବଂ ବ୍ରାଉନସୁଗାର ନେଉଥିବା ସ୍ୱୀକାର କରିଥିଲେ । ଏହି ଘଟଣାରେ ଦୀପକର ସହଯୋଗୀ ବାଲିଗୁଡା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ଼ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର କେ. ଶିବ ପ୍ରସାଦ ଆଚାରୀଙ୍କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୨୨ କିଲୋଗ୍ରାମ ଗଞ୍ଜେଇ, ୦୬ (ଛଅ) ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟର ସାଇକେଲ, ଦଶଟି ମୋବାଇଲ ଫୋନ୍ ଜବତ କରି ଥିଲା ପୁଲିସ l ଏନେଇ ବାଲିଗୁଡ଼ା ପୁଲିସ ପିଏସ୍ କେଶ ନଂ.-୧୯୬/୨୫- ୟୁ/ଏସ୍-୨୦ (ବି)(ଆଇ)(ସି)/୨୧(ବି) ଏନଡିପିଏସ୍ ଆକ୍ଟରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଲିଗୁଡା ଥାନାର ଅନୁସନ୍ଧାନ କାରୀ ଅଧିକାରୀ ଏସ.ଆଇ.ପ୍ରମୋଦ କୁମାର ଜେନା ଏହି ଘଟଣାରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖିଥିବା ସୂଚନା ଦେଇଛନ୍ତି l