କୁମ୍ଭକର୍ଣ୍ଣ ନିଦ୍ରାରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବିନା ଫାର୍ମାସିଷ୍ଟରେ ଚାଲିଛି କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର ଉପାନ୍ତ ଓ ମାଓ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ କୋଟଗଡ଼ ବ୍ଲକ l ଏହି ବ୍ଲକର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ଉପରେ ଯୋଜନା କରୁଛି l ହେଲେ ତାହା ଏକ ପ୍ରକାର ପ୍ରହସନ ହୋଇ ଥିବା ଦେଖା ଦେଇଛି l ଏହି ବ୍ଲକର ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି l ନିରବଛିନ୍ନ ଭାବେ ଦୀର୍ଘ ୩୪ ବର୍ଷ ଧରି କୋଟଗଡ ଡାକ୍ତରଖାନାରେ ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ଫାର୍ମାସିଷ୍ଟ ଲବ କିଶୋର ପାଢ଼ୀ ଗତ ମଇ ମାସ ୩୧ ତାରିଖରେ ଅବସର ନେଇଥିବା ବେଳେ ଚଳିତ ଜୁନମାସ ପାହିଲାରୁ ଫାର୍ମାସିଷ୍ଟ ବିହୀନ ହୋଇପଡିଛି ମେଡିକାଲ l ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିୟମିତ ଶତାଧିକ ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ଔଷଧ ବଣ୍ଟନ, ସାଲାଇନ ଓ ଇଞ୍ଜେକସନ ପରି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ଭାଳୁଛନ୍ତି ବେସରକାରୀ ସିକୁରିଟି ଗାର୍ଡ ଓ ଆଟେନାଣ୍ଡ l ହେଲେ ଶ୍ରୀ ପାଢ଼ୀଙ୍କ ଅବସର ପରେ ଆଦ୍ୟାବଧି ଫାର୍ମାସିଷ୍ଟ ନିଯୁକ୍ତି ନ ହେବାକୁ ନେଇ ରୋଗୀ ଓ ରୋଗୀସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଉ ଥିଲେ ସୁଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ମତ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ l ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୭ ଏମବିବିଏସ ଡାକ୍ତର ନିଯୁକ୍ତି ହୋଇଥିବାବେଳେ ସବୁବେଳେ ୩ ରୁ ୪ ଡାକ୍ତର ଅନୁପସ୍ଥିତ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ l ଯେଉଁ ଡାକ୍ତରମାନେ ବି ଅଛନ୍ତି ସେମାନେ ସାଧାରଣ ରୋଗୀ ଓ ରୋଗୀଙ୍କ ପରିଜନଙ୍କ ସହ ଆଚରଣ ଉଚ୍ଚାରଣ ଭଲ କରୁ ନ ଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି l ଏହି ଘଟଣା ସମ୍ପର୍କରେ ମେଡିକାଲ ଇନଚାର୍ଜ ଭଗବାନ ସୋରେନଙ୍କୁ ପଚାରିବାରୁ ଘଟଣାକୁ ଗୁରୁତ୍ୱ ନ ଦେଇ କୋଟଗଡ ପାଇଁ ଡାକ୍ତର ନାହାନ୍ତି ଆଡ଼ଜଷ୍ଟମେଣ୍ଟ ଚାଲିଛି ବୋଲି କହିଛନ୍ତି l ଯଦି କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଅବସ୍ଥା ତାହା ହେଲେ ଉପାନ୍ତ ଅଞ୍ଚଳ ଶ୍ରୀରାମପୁର, ଜୁଡ଼ାବାଲି, ଦୁର୍ଗାପଙ୍ଗା ଓ ସୁବର୍ଣ୍ଣଗିରିରେ ରୋଗୀ ସେବା କିପରି ଚାଲିଥିବ ତାହା ଜଳ ଜଳ ହୋଇ ଦେଖାଯାଉଛି l ରାଜ୍ୟରେ ବର୍ଷା ଋତୁ ଆରମ୍ଭ ରୁ ଡାଇରିଆ କାୟା ବିସ୍ତାର କରୁଥିବାବେଳେ କୋଟଗଡ ଏତେ ସଂଖ୍ୟକ ଡାକ୍ତର ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ରାଜ୍ୟ ସରକାର ଅଧିକା ଇନସେଣ୍ଟିବ ଦେଇ ପୋଷ୍ଟିଙ୍ଗ କରୁଛନ୍ତି କିନ୍ତୁ ବିନା ଛୁଟିରେ ଏକାଧିକ ଡାକ୍ତର ଅନୁପସ୍ଥିତ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିଘା ନାହିଁ କି ସ୍ଥାନୀୟ ପ୍ରଶାସନର ନିଘା ନାହିଁ l ଫଳରେ ପୁଣି ଊନବିଂଶ ଶତାବ୍ଦୀକୁ ଫେରୁଛି କୋଟଗଡର ଚିକିତ୍ସା ବ୍ୟବସ୍ଥା l କେବଳ କାଗଜପତ୍ରରେ ରୋଗୀ ସେବା ସୀମିତ ରୋଗୀରହୁଥିବା ଓ କର୍ମଚାରୀଙ୍କ ଅନିୟମିତତା ବଢ଼ାଇଛି ରୋଗୀଙ୍କ ଦୁର୍ଦ୍ଦଶା l ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଜଣେ ଭଲ ଫାର୍ମାସିଷ୍ଟଙ୍କ ସହ ଅଭିଜ୍ଞ ଡାକ୍ତର ନିୟୋଜିତ କରିବାକୁ ଦାବୀ କରିଛନ୍ତି ବ୍ଲକବାସୀ l ଯଦି ଜିଲ୍ଲା ପ୍ରଶାସନ ଅଞ୍ଚଳ ବାସିଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସୀନ୍ଧା ଓ ନେତା l