ନିଆଁରେ ପୋଡ଼ି ମହିଳା ଗୁରୁତର..

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ଜଣେ ମହିଳା ରୋଷେଇ କରୁଥିବା ସମୟରେ ପୋଡ଼ି ଯାଇଥିବା ଖବର ଜଣାପଡ଼ିଛି । ସୂଚନା ଅନୁଯାୟୀ ସୋମବାର ଦିନ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବ୍ରାହ୍ମଣୀଗାଁ ଓଡ଼ିଆ ସାହିର ଅଜୟ ଡାକୁଆଙ୍କ ସ୍ତ୍ରୀ ପୂଜା କମାର (୨୨) ଘରେ କେହି ନଥିବା ବେଳେ ସେ ରୋଷେଇ କାମରେ ବ୍ୟସ୍ତ ଥିଲେ l କୌଣସି କାରଣ ବଶତଃ ଅଚାନକ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା l ତାଙ୍କ ଚିତ୍କାର ଶୁଣି ସାହି ପଡ଼ୋଶୀମାନେ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା କରିବା ପରେ ଅଵସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଶରୀରର ଅଧାରୁ ଅଧିକ ଭାଗ ନିଆଁରେ ଜଳି ପୋଡ଼ି ଯାଇଥିବା ମେଡ଼ିକାଲ ସୂତ୍ରରୁ ଜଣା ପଡ଼ିଛି ।
<span;>ଏନେଇ ୧୦୮ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇ ଥିଲା l ମେଡିକାଲ୍ ଅଞ୍ଚଳରେ ଗାଡ଼ି ମହଜୁଦ ଥାଇ ସୁଦ୍ଧା, ଜିପିଏସ ଯୋଗାଯୋଗ ହୋଇ ପାରୁ ନାହିଁ ବୋଲି କଲ ସେଣ୍ଟର ପକ୍ଷରୁ କୁହାଯାଇ ଥିଲା l ପ୍ରାୟ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଲୋକେ ଉତ୍ୟକ୍ତ ହୋଇ ଥିଲେ ଗାଡ଼ି ଆସିବାରୁ ଲୋକେ ଶାନ୍ତ ପଡ଼ିଥିଲେ l ତେବେ ବ୍ରାହ୍ମଣୀଗାଁ ଅଞ୍ଚଳ ପାଇଁ ଜରୁରୀ କାଳୀନ ସେବା ଯୋଗାଉ ଥିବା ୧୦୮ ଆମ୍ବୁଲାନ୍ସ ଅସଜଡ଼ା ଭାବେ ରହି ଥିବା ଦେଖିବାକୁ ମିଳିଛି । ଗାଡ଼ିରେ ଷ୍ଟେପପିନ ନଥିବା ବେଳେ ଲଣ୍ଡା ଟାୟାରରେ ବିପଦ ସଙ୍କୁଳ ଅବସ୍ଥାରେ ଗାଡ଼ି ଚାଲି ଥିବା ବେଳେ ଗାଡ଼ିରେ ଜିପିଏସ  କାମ କରୁ ନାହିଁ । ଏଣୁ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଏହା ବାଧା ସୃଷ୍ଟି କରୁଛି l ଏଣୁ ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l ଅନ୍ୟ ପଟେ ଜଣେ ଗରୀବ ଅସହାୟ ମହିଳା ଏପରି ଏକ ଦୁର୍ଘଟଣାର ଶିକାର ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଅଂଚଳ ବାସୀ ।