ଭଞ୍ଜନଗର(ନିଲୁ ବିଷୋୟୀ): ସୁସ୍ଥ ପରିବେଶ ପାଇଁ ଆବଶ୍ୟକ ଉତ୍ତମ ପରିମଳ ବ୍ୟବସ୍ଥା । ପରିମଳ ବ୍ୟବସ୍ଥା ସୁଧାରିବା ସହ ସ୍ବଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା । ଆର୍ବଜନା ହଟାଇବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ ହେଲେ ମଧ୍ୟ ତୃଣମୂଳ ସ୍ତରରେ ସ୍ବଚ୍ଛତା ଅଭିଯାନ ବାସ୍ତବିକ ରୂପ ନେଇପାରୁନାହିଁ । ଏଭଳି ଏକ ଚିତ୍ର ଦେଖିବାକୁ ମଳିଛି ଭଞ୍ଜନଗର ସହରରେ । ତାହା ପୁଣି ସହରର ଏକ ପ୍ରମୁଖ ପ୍ରବେଶ ପଥରେ । ସହରକୁ ସ୍ବାଗତ କରି କାନ୍ଥରେ ସୁନ୍ଦର ଫୋଟ ଚିତ୍ର ଅଛି ହେଲେ ତାହାରି ସାମ୍ନାରେ ହିଁ ଆର୍ବଜନା ପାଣି ଲହଡ଼ି ମାରୁଛି । ଡ୍ରେନ୍ରେ ଯାଉଥିବା ମଇଳା ପାଣି ଡ୍ରେନରେ ଯିବା ପରିବର୍ତ୍ତେ ରାସ୍ତା ଉପରେ ଭାସୁଛି। ଯାହା ଫଳରେ ସହରକୁ ଆସୁଥିବା ଲୋକମାନଙ୍କ ମନରେ ଭଞ୍ଜନଗର ସହରର ପରିମଳ ବ୍ୟବସ୍ଥା କିଭଳି ତାହା ଏହି ଚିତ୍ରରୁ ହିଁ ସ୍ପଷ୍ଟ କରୁଛି । ଭଞ୍ଜନଗର-ଭୂବନେଶ୍ବର ମୁଖ୍ୟ ରାସ୍ତାର ବେଲଗୁଣ୍ଠା ରୋଡ଼ ଠାରେ ଶନିବାର ଏଭଳି ଆର୍ବଜନା ପାଣି ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମଳିଛି । ନାଳ ଉପରକୁ ଉଠି ଆର୍ବଜନା ପାଣି ରାସ୍ତାରେ ଭାସୁଥିବ ଯୋଗୁ ଯାତାୟତରରେ ବହୁ ସମସ୍ୟା ମଧ୍ୟ ଉପୁଜିଥିଲା । ବିଶେଷ କରି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ରାସ୍ତା ନଥିଲା । କର୍ମଚାରୀମାନେ ଅର୍ବଜନା ପାଣିକୁ ଡେଇଁ ଯିବା ଆସିବା କରିବାକୁ ପଡିଥିଲା । ଡ୍ରେନ୍ ଭିତରେ ପ୍ଳାଷ୍ଟିକ୍, ପଲିଥିନ୍, ବୋତଲ ଭଳି ଆର୍ବଜନା ଗୁଡ଼ିକ ଜମା ହୋଇ ରହିଥିବା ବେଳେ ଡ୍ରେନ୍ ଭିତରେ ଥିବା ଆର୍ବଜନା ପାଣି ଗୁଡ଼ିକ ରାସ୍ତା ଉପରକୁ ଚାଲି ଆସିଥିଲା । ଯାହା ଫଳରେ ରାସ୍ତା ଆର୍ବଜନା ପାଣିର ବୋହୁଥିବାରୁ ଯାତାୟତରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା । ସେଠାରୁ କିଛି ଦୂରରେ ଏକ କଲଭର୍ଟ ନିର୍ମାଣ କାମ ଚାଲି ଥିବା ବେଳେ ସେଠାରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସମୟ ପର୍ଯ୍ୟନ୍ତ ଉଭୟ ପଟେ ବାଇକ ଠାରୁ ଆରମ୍ଭ କରି ବଡ ବଡ ଯାନ ବାହାନ ଅଟକି ରହିଥିଲା । କିଛି ବ୍ୟକ୍ତିଙ୍କ ସହାୟତାରେ ଟ୍ରାଫିକ ହଟିବା ସହ ପ୍ରାୟ ଅଧଘଣ୍ଟା ପରେ ଯାତାୟତ ସ୍ବାଭାବିକ ହୋଇଥିଲା । ବେଲଗୁଣ୍ଠା ରୋଡ଼ ଛକ ଠାରୁ ମୁଖ୍ୟ ନାଳରୁ ଡ୍ରେନ୍ ଟି କୃଷି କାର୍ଯ୍ୟାଳୟ ପାର୍ଶ୍ବରେ ନିର୍ମାଣ କରାଯାଇ ଅଧାରାସ୍ତାରେ ଡ୍ରେନ୍ ସରିଯାଇଛି। ଫଳରେ ଡ୍ରେନ୍ ପାଣି ରାସ୍ତାର ଦେଇ ଜମି ଭିତରେ ପଶୁଛି । ଆଜି କିନ୍ତୁ ଡ୍ରେନ୍ ଭିତର ଆର୍ବଜନା ଜମି ରହିଥିବା ବେଳେ ମଇଳା ପାଣି ଡ୍ରେନ୍ ଦେଇ ଯିବା ପରିବର୍ତ୍ତେ ରାସ୍ତା ଉପରେ ଲହଡି ମାରୁଥିଲା । ତୁରନ୍ତ ଏହି ସମସ୍ୟା ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।