ଭଞ୍ଜନଗର(ନିଲୁ ବିଷୋୟୀ): ପିଲାଙ୍କ ଦେହ ଖରାପର ବାହାନ ଦେଖାଇ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ସୁନା ଭଳି ଦେଖାଯାଉଥିବା ନକଲି ଚେନ୍ ଦେଇ ଟଙ୍କା ନେଇଥିଲା । ଏଭଳି ଜଣେ କି ଦୁଇ ଜଣ ନୁହେଁ ଏକାଧିକ ମହିଳାଙ୍କୁ ନକଲି ସୁନା ଚେନ୍ ଦେଇ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ମହିଳାକୁ ବୁଧବାର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମହିଳା ଜଣକ ହେଲେ ଭଞ୍ଜନଗର ଥାନା ସମାପଲ୍ଲି ଗ୍ରାମର ତମାଳ ନାଇକ(୫୩) । ସୂଚନା ଅନୁସାରେ, ଡୁବୁଡୁବା ଗ୍ରାମର କାଳିଆ ସେଠୀଙ୍କୁ ଜଣେ ଅଜଣା ମହିଳା ତାଙ୍କ ଘର ନିକଟକୁ ଆସି ତାର ପୁଅ ଓ ଝିଅର ଦେହ ଖରାପ ରହିଥିବା ନେଇ କହିବା ସହ ଚିକିତ୍ସା ପାଇଁ ଅର୍ଥ ଅଭାବ ରହିଥିବାରୁ ସୁନା ଚେନ୍ ନେଇ ଟଙ୍କା ମାଗିଥିଲା । ସେ ସୁନା ଚେନ୍ ବଦଳରେ ୨୦ ହଜାର ଟଙ୍କା ଉକ୍ତ ମହିଳାଙ୍କୁ ଦେଇଥିଲେ । ପରବର୍ତ୍ତି ସମୟରେ ସେହି ଚେନ୍ ଟି ନକଲି ବୋଲି ଜାଣିବାକୁ ପାଇଥିଲେ । ଏହାପରେ ସେ ଗତ ୧୨ ତାରିଖ ଦିନ ଏ ନେଇ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଖପାଖ ଲୋକ ଏହା ଜାଣିବା ପରେ କାଳିଆଙ୍କ ସମେତ ଆହୁରି ୪ ଜଣ ମହିଳାଙ୍କୁ ମଧ୍ୟ ସମାନ ଢଙ୍ଗରେ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ୍ କେସ୍ ନମ୍ବର ୩୮୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅଭିଯୋଗକାରିଣୀଙ୍କ ଠାରୁ ପୁଲିସ୍ ୫ ଟି ନକଲି ସୁନା ଚେନ୍ ଜବତ କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏଥି ସହିତ ଆଉ କେଉଁମାନେ ଏଭଳି ଠକେଇର ଶୀକାର ହୋଇଛନ୍ତି ସେଦିଗରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ତେବେ ନିଜକୁ ନୀରିହ ଦର୍ଶାଇ ସୁନା ବିକ୍ରି କରିବାକୁ ବିଭିନ୍ନ ଆଳ ଦେଖାଉଥିବା ଠକଙ୍କ ଠାରୁ ସର୍ତ୍ତକ ରହିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ଯଦି ଏଭଳି କିଛି ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହୁଏ ତେବେ ତୁରନ୍ତ ଥାନାରେ ଖବର ଦେବାକୁ ଥାନାଧିକାରୀ କହିଛନ୍ତି ।