ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରାମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେମାକୁଡିଆ ଠାରେ ଘଟିଛି ଅଭାବନୀୟ ଏକ ଘଟଣା । ସୂଚନା ଅନୁସାରେ ଗ୍ରାମର ସକାଳେ ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ମିଳିଥିବା ଛତୁଆ ଆଣି ନିଜ ଘରେ ରୋଷେଇ କରି ଖାଇ ଅସୁସ୍ଥ ହୋଇ ପଡିବା ପରେ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଶିବ ଶଙ୍କରଙ୍କ ୦୫ ବର୍ଷୀୟ ଝିଅ ତୁଳସୀ ବଡମୁଣ୍ଡିର ମୃତ୍ୟୁ ହୋଇଥିବା ଡାକ୍ତର ବ୍ରଜରାଜ କର ଘୋଷଣା କରିଥିଲେ । ଅନ୍ୟ ତିନିଜଣ ଅର୍ଜୁନ ବଡମୁଣ୍ଡି(୫୫), ସୁମିତ୍ରା ବଡମୁଣ୍ଡି(୧୨) ଓ ଗୁଣମଣି ବଡମୁଣ୍ଡି(୩)ବର୍ଷ ଗୁରୁତରଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ଲାଗି ସ୍ଥାନାନ୍ତରିତ କରାଯାଇଛି । ତେବେ ଆମ୍ବୁଲାନ୍ସ୍ ଯୋଗେ ଯିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ସେପଟେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ଛତୁଆ ଏବଂ ପ୍ରସ୍ତୁତି, ଖାଦ୍ୟର ମାନ ପରୀକ୍ଷା ତଥା ବିତରଣର ତଦାରଖରେ ସାମିଲ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ତଥା ପ୍ରସ୍ତୁତକରୀ ସଂଗଠନର କାର୍ଯ୍ୟକଳାପ ଉପରେ ବୁଦ୍ଧିଜୀବୀମହଲ ସନ୍ଦେହ ପ୍ରକାଶ କରିବା ସହ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ପୁଲିସ ଖବର ପାଇ ମୃତ ଶିଶୁର ଶବକୁ ବ୍ୟବଛ୍ଛେଦ ଲାଗି ଜବତ କରିବା ସହ ଖାଇଥବା ରନ୍ଧା ଛତୁଆକୁ ମଧ୍ୟ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।