ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଶ୍ରମିକମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା I ଏନେଇ ଶ୍ରମିକମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ କଲେ ସୁଦ୍ଧା ନ୍ୟାୟ ମିଳୁନ ଥିବା ଅଭିଯୋଗ କରିଛନ୍ତି I ପ୍ରଶାସନ ପକ୍ଷରୁ ମିଳୁଛି ତାରିଖ ଉପରେ ତାରିଖ I ଶ୍ରମିକଙ୍କୁ ନ୍ୟାୟ ଦେବା ବଦଳରେ ଶ୍ରମ ଅଧିକାରୀ ଶ୍ରମିକମାନଙ୍କୁ ଖର୍ଚ୍ଚନ୍ତ କରାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି I ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ I ଏହି ଗ୍ରାମର ଦାରାବଣ୍ଡା ଠାରୁ ଆଡ଼ିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ୨୦୨୦ ମସିହାରେ ରାସ୍ତା କାମ ହୋଇଥିଲା I ଏହି କାମକୁ ଗ୍ରାମର ବହୁ ପୁରୁଷ ଓ ମହିଳାକାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିଲା I ୧ ଲକ୍ଷରୁ ଉର୍ଦ୍ଧ ମଜୁରୀ ଟଙ୍କା ଶ୍ରମିକମାନେ ପାଇବାର ଅଛି I ଶ୍ରମିକମାନଙ୍କୁ ସଠିକ ସମୟରେ ମଜୁରୀ ଟଙ୍କା ମିଳିବା କହି ଗାଁ ସାଥି ତଥା ସିମନବାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଲୋକଙ୍କୁ କାମ କରାଇଥିଲେ I ଏହି କାମ ବାବଦକୁ ସମସ୍ତ ଟଙ୍କା ବିଲ ମଧ୍ୟ ହୋଇଥିଲା I ହେଲେ ଟଙ୍କାକୁ ଶ୍ରମିକମାନଙ୍କୁ ନଦେଇ ଗାଁ ସାଥି ମୋହନ ପ୍ରଧାନ ଆତ୍ମସାତ କରିଦେଇ ଥିବା ନେଇ ଶ୍ରମିକମାନେ ପ୍ରଥମେ ବ୍ଲକ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ I ବ୍ଲକ କାର୍ଯ୍ୟଳୟରେ ନ୍ୟାୟ ନପାଇବାରୁ ଶେଷରେ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟରେ ଗତ ନଭେମ୍ବର ମାସରେ ଅଭିଯୋଗ କରିଥିଲେ I
ଅଭିଯୋଗ ପରେ ଶ୍ରମ କାର୍ଯ୍ୟଳୟ ପକ୍ଷରୁ ମୋହନ ପ୍ରଧାନଙ୍କୁ ବର୍ତମାନ ପର୍ଯ୍ୟନ୍ତ ୪ ଥର ନୋଟିସ ଜାରି ହେବା ସହ ଗତ ୩ ତାରିଖରେ ବିନା ନୋଟିସରେ ଉଭୟ ପକ୍ଷକୁ ଡକାଇଥିଲେ I ହେଲେ ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା ତଦନ୍ତ ଆଳରେ ନିରୀହ ଶ୍ରମିକମାନଙ୍କୁ ଶ୍ରମ କାର୍ଯ୍ୟଳୟରୁ ଦାଇତ୍ୱରେ ଥିବା ଅଧିକାରୀ ୪ ଥର ଡକାଇ ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚନ୍ତ କରାଇ ସାରିଲେଣି I ନିରୀହ ଗରିବ ଶ୍ରମିକ ମାନେ ନିଜର ପାରିଶ୍ରମିକ ଟଙ୍କା ପାଇବା ବଦଳରେ ନିଜ ଘରର ସାମାନ ବିକ୍ରି କରି ଶ୍ରମ କାର୍ଯ୍ୟଳୟକୁ ଦୌଡ଼ିବାକୁ ପଡୁଥିବା ଶ୍ରମିକ ସୁକେନ୍ଦ୍ର ଦିଗାଲ, ପ୍ରଶ୍ନ ପ୍ରଧାନ, ପ୍ରଶାନ୍ତ ଦିଗାଲ, ଜୁନସ ଦିଗାଲ, ସୁରେଶ ଦିଗାଲ, ରମାକାନ୍ତ ଦିଗାଲ, ଜ୍ୟୋତିରାଜ ଦିଗାଲ, ପାଦିରା ଦିଗାଲ, ବିପିନ ପ୍ରଧାନ, ପ୍ରେରିତ ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି I ଏଭଳିକି ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ମଧ୍ୟ ଆରମ୍ଭ ହୋଇନଥିବା ସହ ଘଟଣା ସ୍ଥଳକୁ ଏପର୍ଯ୍ୟନ୍ତ ଶ୍ରମ ଅଧିକାରୀ ଆସିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି I I ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି I ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକାଧିକ ଥର ଫୋନ ଯୋଗେ ଯୋଗଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଗାଁ ସାଥି ମୋହନ ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ I