ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତୁମୁଡିବନ୍ଧ ସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ସମ୍ମୁଖ ୫ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାଦେଇ ଚାଲିଯାଇଥିଲା । ସୂର୍ଯ୍ୟଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ସ୍ବାସ୍ଥ୍ୟାବସ୍ଥା ଯୋଗୁ ବାଲିଗୁଡ଼ାରୁ ପୁଣି ଫୁଲବାଣୀସ୍ଥିତ ଜିଲା ସଦରମହକୁମା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅପରାହ୍ନରେ ସୂର୍ଯ୍ୟ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ତୁମୁଡିବନ୍ଧ ବୁଡ଼ାପଡ଼ା ଗ୍ରାମର ଗ୍ରାମବାସୀ ଉତ୍ତେଜିତ ହୋଇ ତୁମୁଡିବନ୍ଧଠାରୁ ମୁନିଗୁଡ଼ା ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର ବୁଡାପଡ଼ା ଛକଠାରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି ଜାରି ରଖିଛନ୍ତି । ଯାହା ଦ୍ୱାରା ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକ ରହିଥିଲା l