ମଦ୍ୟପ ଭେଣେଇ ପାଇଁ ଚାଲିଗଲା ଶାଳୀଙ୍କ ଜୀବନ…

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ତୁମ୍ବୁଡିବନ୍ଦ ଥାନା ଅନ୍ତର୍ଗତ କୁର୍ତ୍ତମଗଡା ପଞ୍ଚାୟତର ବୁଦୁଲିପଦର 59 ତମ ରାଜ୍ୟ ରାଜପଥ ଠାରେ ଗତକାଲି ରାତି 10ଟା ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି l ଏକ ବାଇକ ଭାରସାମ୍ୟ ହରେଇ ବୁଲାଣିରେ ପଥର ପିଠିହୋଇ ବାଇକ ଦୁର୍ଘଟଣା ହୋଇ ଜଣେ ଦଶମ ଶ୍ରେଣୀର ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ କୁର୍ତ୍ତମଗଡା ପଞ୍ଚାୟତ ସାକ୍ରୀପଦର ଗ୍ରାମର ଗଙ୍ଗା ପ୍ରଧାନୀ ବୋଲି ଜଣାପଡ଼ିଛି । ସେ ତାଙ୍କ ଭେଣେଇ, ବଡ ଭଉଣୀ ଓ ତାଙ୍କ ସାଙ୍ଗଙ୍କ ସହ ଗତକାଲି କୁର୍ତ୍ତମଗଡ଼ରେ ବୁଲିବାକୁ ଯାଇ କୁର୍ତ୍ତମଗଡ ଠାରୁ ତୁମ୍ବୁଡ଼ିବନ୍ଧ ଅଭିମୁଖେ ଯାଉଥିବା ସମୟରେ ବୁଦୁଲିପଦର ବୁଲାଣି ଠାରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବାର କାରଣ ହଉଛି ତାଙ୍କ ଭେଣେଇ ଅଧିକ ମାତ୍ରାରେ ମଦ ପିଇବା ଏବଂ ଅଧିକ ଦ୍ରୁତଗତିରେ ବାଇକ ଚଳାଉ ଥିବା ଯୋଗୁଁ ବୁଲାଣିରେ ସଠିକ ଭାବରେ ବୁଲେଇ ପାରିନଥିଲେ ଓ ପଥରକୁ ପିଟି ହେବା ଫଳରେ ନିରୀହ ଝିଅଙ୍କ ଜୀବନ ଚାଲିଯାଇ ଥିଲା l ଜଣକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ତୁମ୍ବୁଡ଼ିବନ୍ଧ ପୁଲିସ ପହଞ୍ଚି ମୃତ୍ୟୁ ଶରୀର ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠେଇଛି ।