ଦାରିଙ୍ଗବାଡି(ଆଶୋକ ସିଂ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଆ ଅଙ୍ଗନବାଡି ସଂଘ ଦାରିଙ୍ଗବାଡି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମି ରଞିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମଏସ)ର ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ପରିଛା ଯୋଗଦେଇ ସଂଗଠନକୁ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟ କ୍ଷେତ୍ରରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ମାସ ମାସ ଧରି ପୋଷଣ ଅନୁଦାନ, କିଶୋରୀ ବାଳିକା ଅର୍ଥ, ଗ୍ୟାସ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଚାଉଳ ଓଜନରେ କମ, ଅଣ୍ଡା ଦର ବଜାରରେ ଅତ୍ୟଧିକ ବୃଦ୍ଧି ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ । ପ୍ରତ୍ୟେକ କର୍ମୀଙ୍କୁ ଦିଆଯାଉଥିବା ଅର୍ଥ କେଉଁ ବାବଦରେ ଦିଆଯାଉଛି ତାହା ଲିଖିତ ଭାବେ ଦେବାକୁ ଦାବୀ କରାଯାଇଛି । ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ଅଧିକାଂଶ ସମୟରେ ଖାଇବା ସମୟରେ ଆସୁଥିବା ବେଳେ ପରିଦର୍ଶନରେ ଆସୁଥିବା ସୁପର ଭାଇଜରମାନେ କମ ସଂଖ୍ୟକ ଉପସ୍ଥାନ ଦେଉଥିବାରୁ କର୍ମୀମାନେ ବକେୟ ଟଙ୍କା ଶୁଝିବା କଷ୍ଟକର । ଏସମସ୍ୟା ସମ୍ପର୍କରେ ରାଜ୍ୟ ବୈଠକରେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ ବିଏମଏସର ଜିଲା ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ । ଆଗାମୀ ଦିନରେ ଅଙ୍ଗନବାଡି ସଂଘର ବ୍ଲକ ସମ୍ମିଳନୀ ଓ ଜିଲା ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା । ଗତ ୩୧ତାରିଖରେ ଦାରିଙ୍ଗବାଡି ବ୍ଲକ ସଂଘର ସମ୍ପାଦିକା ତଥା ରୁକାନବାଡିର କର୍ମୀ ପ୍ରମଦା ମଲ୍ଲିକ ଅବସର ନେଇଥିଲେ ।ଏହି ଅବସରରେ ବୈଠକରେ ବିଏମଏସର ଜିଲା ସଭାପତି ଅଶୋକ ପରିଡା, ସଂଘର ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ନାୟକ ବ୍ଲକ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପ୍ରଧାନ, କୁନି ସାହୁ, ମହାଲକ୍ଷ୍ମୀ ସାହୁ, ଜୟନ୍ତୀ ସିଂ, କାବେରୀ ମଲିକ, କୁମାରୀ ମହାପାତ୍ର, ମିନତି ନାୟକ, ପୁଷ୍ପ ଦେବୀ ପ୍ରଧାନ ପ୍ରମୁଖଙ୍କ ସହ ୧୨ଟି ସେକ୍ଟରର ସଦସ୍ୟାମାନେ ଉପସ୍ଥିତ ଥିଲେ ।