ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ରାଜନୀତିରେ ଗୁରୁବାର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ବାଉଁଶଲୁଣ୍ଡି ଠାରେ ଦଳର ୨୮ତମ ପ୍ରତିଷ୍ଠା ଉତ୍ସବ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ପାଳନ ହେଉଥିବା ବେଳେ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଛନ୍ତି ଭଞ୍ଜନଗର ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ ଓ ତିନି ଗ୍ରାମ ପଞ୍ଚାୟତ ସମିତି ସଭ୍ୟସଭ୍ୟା । ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବନ ବିଭାଗ ଡାକ ବଙ୍ଗଳା ଠାରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ନାୟକ ଓ ଅନ୍ୟ ମାନେ ସ୍ୱାଗତ କରିଥିଲେ । ଏହା ପରେ ଅପରାହ୍ନ ସମୟରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ, ବଡ଼କୋଦଣ୍ଡା ସମିତି ସଭ୍ୟ ଜେ.ମନୋଜ କୁମାର ପୃଷ୍ଟି, କୁଲାଡ଼ ସମିତିସଭ୍ୟା ପି.ରେଣୁକା ପାତ୍ର, ବାରୁଡ଼ା ସମିତି ସଭ୍ୟା ବନିତା ସେଠୀ, ବରିଷ୍ଠ ନେତା ରାମହରି ପାତ୍ର, ସୋମନାଥ ସେଠୀଙ୍କ ସମେତ ସମର୍ଥକମାନଙ୍କୁ ବିଧାୟକ ଶ୍ରୀ ନାୟକ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛୁ । ଆଗାମୀ ଦିନରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଡବଲ ଇଞ୍ଜିନ ସରକାରର ବିକାଶ ଧାରାକୁ ଭଞ୍ଜନଗର ବ୍ଳକରେ ଆଗେଇ ନେବୁ ବୋଲି ଦଳରେ ସାମିଲ ସମିତିସଭ୍ୟସଭ୍ୟା ପ୍ରକାଶ କରିଛନ୍ତି । ବ୍ଳକ ଅଧ୍ୟକ୍ଷଙ୍କ ସମେତ ତିନି ସମିତିସଭ୍ୟ ଓ ସମର୍ଥକଙ୍କ ଦଳରେ ଯୋଗଦାନ ପରେ ଦଳୀୟ ସଙ୍ଘଠନ ବୃଦ୍ଧି ପାଇବା ସହ ବିକାଶ କାଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ପ୍ରକାଶ ଥାଉକି, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବାଇବାଲି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ୧୨ ମାର୍ଚ୍ଚ ୨୦୨୨ରେ ବ୍ଲକ ଅଧ୍ୟକ୍ଷ ଭାବେ ନରିସଭା ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । କାଯ୍ୟକ୍ରମରେ ବରିଷ୍ଠ ନେତା ଧୋବା ଗୌଡ଼, ନୀଳମାଧବ ପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ସନ୍ତୋଷ ତିଆଡି, ଯୁବ ନେତା ଶିବ ଶଙ୍କର ପ୍ରଧାନ, ସୁବାଷ ଚନ୍ଦ୍ର ବରାଡ଼, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।