ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ଲାଗି ୬ ଗୋଟି ପରିବାର ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ । ଏହାକୁ ଶୁକ୍ରବାର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଶରତ ଶବର ଓ ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ଜବରଦଖଲ ଉଚ୍ଛେଦ କରାଯାଇଛି । ପ୍ରକାଶ ଯେ, ବିଚାର ବିଭାଗର ନିଜର ଜମି ପ୍ରାୟ ୩ ଏକର ରହିଛି । ସେଠି ବିଚାର ବିଭାଗର କୋଠା ନିର୍ମାଣ କରାଯାଇ କୋର୍ଟ ଚାଲିଥିବାବେଳେ କର୍ମଚାରୀ ଓ ବିଚାରପତିଙ୍କ ନିଜସ୍ବ ବାସଭବନ ପାଇଁ ରହିଥିବା ଜମିରେ ଅନ୍ୟ ସାଧାରଣ ଲୋକ ଘର କରି ବସବାସ କରୁଥିଲେ l ସେମାନେ ହେଲେ ଶ୍ରୀ ମନୋଜ କୁମାର ସାହୁ, ଶ୍ରୀ ହୀରା ନାୟକ, ଶ୍ରୀ ଶଙ୍କର ବେହେରା, ଶ୍ରୀମତୀ ରଶ୍ମିତା ସାହୁ, ଶ୍ରୀ ଦୁର୍ଗା ମାଧବ ପ୍ରଧାନ, ଶ୍ରୀ ଜ୍ଞାନରଞ୍ଜନ ସାହୁ କୋର୍ଟ ପରିସରର ପ୍ରାୟ ୨୫ ଡେସିମିଲି ଜମି ଅକ୍ତିଆରରେ ରହିଥିଲା । ଏହାକୁ କୋର୍ଟ ନିଜ ଜମି ପ୍ରଦାନ କରିବାକୁ ତହସିଲକୁ ନିର୍ଦ୍ଦେଶ ଦେବା ପରେ ଜମି ଜବରଦଖଲକାରୀଙ୍କ ହାତରୁ ଆଣିବା ପାଇଁ ଆଇନଗତ ପ୍ରକ୍ରିୟା କରାଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ପରେ ଆଜି ଜବରଦଖଲ ଉଚ୍ଛେଦ କରିବାକୁ ପଦକ୍ଷେପ ନିଆଯାଇଥିବା ତହସିଲଦାର ଶରତ ଶବର ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଉଚ୍ଛେଦ କରାଯାଇଥିବା ଲୋକେ ତାଙ୍କର ଥାଇଥାନ ପାଇଁ ଅନ୍ୟତ୍ର ଜମି ପ୍ରଦାନ ନିମନ୍ତେ ତହସିଲଦାରଙ୍କ ନିକଟରେ ଦାବୀ କରିଥିଲେ । ଜବରଦଖଲ ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା ।