ଆମ୍ବ ଟାକୁଆ ଜାଉ ଖାଇ ୩ମୃତ ଘଟଣା, ଦଳୀୟ କର୍ମୀଙ୍କ ସହ ମାଣ୍ଡିପଙ୍କାରେ ପହଞ୍ଚିଲେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଉମା ଚରଣ ମଲ୍ଲିକ ବୁଧବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ମୃତକ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ୧ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଗତ ୨୯ ତାରିଖରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୮ ଜଣ ଗୁରୁତର ହୋଇ ଥିବା ବେଳେ ୩୧ ତାରିଖରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧ତାରିଖରେ ମେଡ଼ିକାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ହେଇଥିଲା l ଆଉ ୬ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉ ଥିଲା ସେଥିରୁ ଦୁଇ ଗୁରୁତରଙ୍କୁ ପୁଣି କଟକ ଏସସିବିରେ ଭର୍ତ୍ତି କରାଯାଇ ଥିଲା l ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କୁ ଚିକିତ୍ସା କରୁଥିଲେ l ସମସ୍ତ ଚେଷ୍ଟା ପରେ ମଧ୍ୟ ଦୀର୍ଘ ୧୮ଦିନ ଚିକିତ୍ସା ପରେ ସୋମବାର ଦିନ ଜୀତା ମାଝୀଙ୍କ ମୃତ୍ୟୁ ହୋଇଥିଲା l ମଙ୍ଗଳବାର ଦିନ ଶୋକାକୁଳ ପରିବେଶରେ ତାଙ୍କ ର ଭୁ ସ୍ଥାପନ କରାଯାଇ ଥିଲା । ଖବର ପାଇ ବୁଧବାର ଦିନ ଫୁଲବାଣୀ ବିଧାୟକ ଶ୍ରୀ ମଲ୍ଲିକ ନିଜ ଦଳୀୟ କର୍ମୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଗ୍ରାମବାସୀ ଓ ଗଦାପୁର ସମିତି ସଭ୍ୟା ରୁଦା ମଲ୍ଲିକ ଓ ଗ୍ରାମବାସୀ ତଥା ଅଞ୍ଚଳର କିଛି ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷ କରି ମାଣ୍ଡିପଙ୍କାରେ ଏକ ନୂତନ ପଞ୍ଚାୟତ ଗଠନକରିବା, ଗଦାପୁର ମେଡିକାଲ୍ରେ ଡାକ୍ତର ନିଯୁକ୍ତି, ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତନ କରିବା, ମାଣ୍ଡିପଙ୍କାରେ ଏକ ମୋବାଇଲ ଟାୱାର ସ୍ଥାପନ କରିବା, ମାଣ୍ଡିପଙ୍କାର ଶତାଧିକ ମହିଳା ସୁଭଦ୍ରା ଯୋଜନାରୁ ବାଦ୍ ପଡିଛନ୍ତି l ସେମାନଙ୍କୁ ସୁଭଦ୍ରା ଯୋଜନାର ଅଂଶି କରିବା ଆଦି ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ସହ ଆଲୋଚନା କରି ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଏହି ସମସ୍ତ ଆଲୋଚ୍ୟ ବିଷୟକୁ ନିଶ୍ଚୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେନ ।