ଦାରିଙ୍ଗବାଡି ଚାରି ଛକର ଜମି ବିବାଦ ଘଟଣା: ପ୍ରଶାସନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା, ସମାଧାନ ନ ହେଲେ ବଢ଼ିପାରେ ସମସ୍ୟା….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଜମିକୁ ନେଇ ଗତ ଶୁକ୍ରବାର ଦିନ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଅସନ୍ତୋଷ ଗୋଷ୍ଠି ଏବଂ ସ୍ଥାନୀୟ ବ୍ୟବସାୟ ଗୋଷ୍ଠୀ ଓ ଦୁର୍ଗା ପୂଜା କମିଟି ସହ ଦୁଇଟି ପର୍ଯ୍ୟାୟରେ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପଙ୍କ ନେତୃତ୍ୱରେ ପ୍ରଶାସନ ପ୍ରଶାସନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଅସନ୍ତୋଷ ପ୍ରକାଶ କରିଥିବା ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଗୋଷ୍ଠୀଙ୍କ ସହ ପ୍ରଥମେ ଦାରିଙ୍ଗବାଡ଼ି ବୁକ ସଭାଗୃହରେ ଆଲୋଚନା କରାଯାଇଥିବା ବେଳେ ଅପରାହ୍ନରେ ବ୍ୟବସାୟୀ ଗୋଷ୍ଠିଙ୍କ ସହ ଥାନାରେ ଆଲୋଚନା କରାଯାଇଛି । ଅସନ୍ତୋଷ ଗୋଷ୍ଠୀଙ୍କ କହିବା ଅନୁଯାୟୀ ଦାରିଙ୍ଗବାଡ଼ି ଚାରିଛକ ଜମିକୁ କିଛି ଅଣ ଆଦିବାସୀ ଲୋକ ନିଜ ଅକ୍ତିଆରରେ ରଖି ବର୍ଷ ବର୍ଷ ଧରି ସେମାନେ ହିଁ ଆଦିବାସୀ ଲୋକଙ୍କ ସହ ଅସନ୍ତୋଷ ସୃଷ୍ଟି କରୁଛନ୍ତି । ଉକ୍ତ ଜମିଟି ପୂର୍ବରୁ ଆଦିବାସୀମାନଙ୍କ ଦେବସ୍ଥଳୀ ଭାବେ ରହି ଆସିଥିବା ବେଳେ ପରବର୍ତ୍ତୀ ସମୟରେ ସେହି ଜମିକୁ କିଛି ଅଣ ଆଦିବାସୀମାନେ ସମୟ କ୍ରମେ ନିଜର ଦେବ ସ୍ଥଳୀ, ବିଜେ ସ୍ଥଳୀ, ଶ୍ରୀ ଶ୍ରୀ ଦୁର୍ଗା ଦେବୀଙ୍କ ଆସ୍ଥାନ ନାମରେ ପଟ୍ଟା ହାସଲ କରିଛନ୍ତି । ହେଲେ ଆଦିବାସୀ ଲୋକ ଏଠିକାର ମୂଳ ନିବାସୀ ହୋଇଥିବା ହୋଇଥିବା ବେଳେ ସେହି ଜାଗାରେ କୌଣସି କାର୍ଯ୍ୟକ୍ରମ କରିବାର ସୁଯୋଗ ଦିଆଯାଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ଉକ୍ତ ଜମିକୁ ସରକାରୀ ଖାତାରେ ସାମିଲ କରି ଦାରିଙ୍ଗବାଡି ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉ ବୋଲି ପ୍ରଶାସନ ନିକଟରେ ମତାମତ ରଖିଛନ୍ତି । ସେହିପରି ଅପର ପକ୍ଷ ଦାରିଙ୍ଗବାଡ଼ି ବ୍ୟବସାୟୀ ସଙ୍ଘ ଓ ଦୁର୍ଗା ପୂଜା କମିଟି ସଦସ୍ୟଙ୍କ କହିବା ଅନୁଯାୟୀ ଉକ୍ତ ଜମିଟି ଦାରିଙ୍ଗବାଡ଼ି ମୌଜାର ଖାତା ନମ୍ବର ୩୭୦, ପ୍ଲଟ ନମ୍ବର ୧୩୮୭, ୩୪୫ ଆର ଜାଗା ଗତ ତା ୧୯୭୯ ମସିହାରୁ ଦୁର୍ଗାଦେବୀଙ୍କ ଆସ୍ଥାନ, ବିଜେ ସ୍ଥଳୀ ଦେବସ୍ଥଳୀ ଭାବେ ରେକର୍ଡ ରେ ଉଲ୍ଲେଖ ରହିଥିବା ଦାବୀ କରୁଥିବା ବେଳେ ଗତ ତା ୩୧/୦୮/୨୦୧୨ ମସିହାରେ ଦାରିଙ୍ଗବାଡି ତହସିଲ ପକ୍ଷରୁ ଉକ୍ତ ଜମିପଟ୍ଟା ହାସଲ କରିଛନ୍ତି । ହେଲେ ଉକ୍ତ ଜମିକୁ ନେଇ ଯେଉଁ ବିବାଦ ସୃଷ୍ଟି କରାଯାଉଅଛି ଏବଂ ଗତ ଶୁକ୍ରବାର ଦିନ କିଛି ଲୋକ ଏକତ୍ରିତ ହୋଇ ସେହି ଜମି ରେ ଥିବା ଶୁଭ ଖୁଣ୍ଟି ଭାଙ୍ଗିବା ସହ ଉକ୍ତ ଜମିରେ ବେଢ଼ାହୋଇ ରହିଥିବା ତାରବାଡ଼କୁ ଭଙ୍ଗା ରୁଜା କରି କାଢ଼ି ଦେଇଛନ୍ତି । ତାହା ଏକ ନିନ୍ଦନୀୟ ବିଷୟ ଯାହାକି ଆମ ଆମ ମଧ୍ୟରେ କିଛି ଲୋକ ଜାଣିଶୁଣି ଅସନ୍ତୋଷ ସୃଷ୍ଟି କରିଛନ୍ତି ବୋଲି ବ୍ୟବସାୟୀ ଗୋଷ୍ଠୀ କହିଛନ୍ତି l ଏହା ସହ ସେମାନଙ୍କ ମଧ୍ୟ କହିବା ଅନୁଯାୟୀ ଉକ୍ତ ଜମିକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ଯାହାକି ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ କାର୍ଯ୍ୟରେ ଲାଗିପରିବ ବୋଲି ସେମାନେ ମତ ରଖୁଛନ୍ତି । ଉଭୟ ପକ୍ଷର ମତାମତ ଗ୍ରହଣ କରିବା ପରେ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ କଣ ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା । ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଏସଡ଼ିପିଓ କମଳ କୁମାର ପଣ୍ତାଙ୍କ ସହ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବର, ଥାନା ଅଧୂକାରୀ ରମେଶ ପ୍ରଧାନଙ୍କ ସହ ପୁଲିସ ବାହିନୀ ସଦଳବଳେ ଉପସ୍ଥିତ ରହିଥିବା ଦେଖୁବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠିଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମତକୁ ଏବେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବା ପରେ ଏହାର ସମାଧାନର ବାଟ ବାହାର କରାଯିବ ବୋଲି ଜଣା ପଡ଼ିଛି ।